ରାଜ୍ୟସଭା କ୍ରସ୍ ଭୋଟିଂକୁ ମାମଲାରେ ୫ ଜଣ ବିଜେଡି ବିଧାୟକଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ

ଭୁବନେଶ୍ୱର,୩୦/୧୦:  ରାଜ୍ୟସଭା କ୍ରସ୍ ଭୋଟିଂକୁ ମାମଲାରେ ୫ ଜଣ ବିଜେଡି ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ । ନୋଟିସ୍‌ର ଜବାବ ଦାଖଲ କରିବାକୁ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଡିସେମ୍ବର ୪ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ପଡ଼ିବ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁଆରୀ ୧୧ ତାରିଖରେ ହେବ । ନୋଟିସ୍ ପାଇଥିବା ବିଧାୟକମାନେ ହେଲେ ଅରବିନ୍ଦ ମହାପାତ୍ର, ସୁବାସିନୀ ଜେନା, ସନାତନ ମହାକୁଡ଼, ସୌଭିକ ବିଶ୍ୱାଳ ଓ ଚକ୍ରମଣୀ କହଁର । ୫ଟି ରିଟ୍ ପିଟିସନ୍‌ର ଶୁଣାଣି କରି ହାଇକୋର୍ଟ ଏହି ନୋଟିସ୍ ଜାରି କରିଛନ୍ତି । ତେବେ କ୍ରସ୍ ଭୋଟିଂ କରିଥିବା ଅନ୍ୟ ବିଜେଡି ବିଧାୟକଙ୍କୁ ଏଯାଏଁ ନୋଟିସ୍ ଜାରି ହୋଇନାହିଁ । ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟଙ୍କ ସୂଚନା ଅନୁସାରେ, ଗତ ଜୁନ୍‌ ମାସରେ ବିଜେଡି ପକ୍ଷରୁ କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବାକୁ ବାଚସ୍ପତିଙ୍କ ନିକଟରେ ଆବେଦନ କରାଯାଇଥିଲା । ହେଲେ ବାଚସ୍ପତି ଏହି ଆବେଦନକୁ ଖାରଜ କରିଦେଇଥିଲେ । ଏହାପରେ ବିଜେଡି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ହାଇକୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ଓ ବିଧାୟକମାନଙ୍କ ଜବାବ ଉପରେ ଏବେ ନଜର ରହିଛି ।

Leave a Reply

Your email address will not be published. Required fields are marked *