ଭୁବନେଶ୍ୱର,୨୯/୧୦: ବାତ୍ୟା ପରେ ବି ଓଡ଼ିଶାର ପିଛା ଛାଡ଼ୁନି ବର୍ଷା। ଦକ୍ଷିଣ ଓଡ଼ିଶାରେ ବର୍ଷାର ତାଣ୍ଡବ ପରେ ଏବେ ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଲଗାଣ ବର୍ଷା। ମୟୂରଭଞ୍ଜରୁ ବାଲେଶ୍ୱର, ବଲାଙ୍ଗୀରରୁ ନୂଆପଡ଼ା, ଗୋଟିଏ ପରେ ଗୋଟିଏ ଅଞ୍ଚଳରେ ଭଲ ବର୍ଷା ହୋଇଛି। ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ କେତେକ ସ୍ଥାନରେ ବର୍ଷାର ପରିମାଣ ୮୦ରୁ ୯୦ ମିଲିମିଟର ଉପରେ ରହିଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ତଥ୍ୟ ଅନୁସାରେ, ରାଜ୍ୟର ୧୫ଟି କେନ୍ଦ୍ରରେ ଅତି ଭୀଷଣ ବର୍ଷା, ୨୧ଟି କେନ୍ଦ୍ରରେ ଅତି ପ୍ରବଳ ବର୍ଷା ଏବଂ ୭୧ଟି କେନ୍ଦ୍ରରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ଅର୍ଥାତ୍ ମୋଟ ୧୦୭ଟି ବର୍ଷାମାପକ କେନ୍ଦ୍ରରେ ପ୍ରବଳରୁ ଅତି ଭୀଷଣ ବର୍ଷା ହୋଇଛି। ଦକ୍ଷିଣ ଓଡ଼ିଶା ସହ ଉତ୍ତର ଓ ପଶ୍ଚିମ ଓଡ଼ିଶାର ଅନେକ ଅଞ୍ଚଳରେ ମଧ୍ୟ ବର୍ଷାର ପ୍ରଭାବ ରହିଛି। ବିଶେଷକରି ମୟୂରଭଞ୍ଜ ଜିଲ୍ଲାର ଏକାଧିକ ସ୍ଥାନରେ ଲଗାଣ ବର୍ଷା ହୋଇଛି।
ବାତ୍ୟାର ପ୍ରକୋପ କମିଥିଲେ ମଧ୍ୟ ବର୍ଷା ଯୋଗୁଁ ବିପଦ ସମ୍ପୂର୍ଣ୍ଣ ଟଳିନଥାଇପାରେ। କାରଣ ଲଗାଣ ବର୍ଷା ହେଲେ ତଳିଆ ଅଞ୍ଚଳରେ ପାଣି ଜମିବା ସହ ନଦୀନାଳର ଜଳସ୍ତର ବଢ଼ିବାର ଆଶଙ୍କା ରହିଛି।