ନଭେମ୍ବର ୧୮ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ୱର,୨୯/୧୦: ନଭେମ୍ବର ୧୮ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ। ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଛି। ଅଧିବେଶନର ପ୍ରଥମ ଦିନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବ୍ୟୟ ବିବରଣୀ ଉପସ୍ଥାପନ କରାଯିବ। ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ କାର୍ଯ୍ୟସୂଚୀ ଜାରି ହୋଇଛି। ସପ୍ତଦଶ ବିଧାନସଭାର ଅଷ୍ଟମ ଅଧିବେଶନରେ ରାଜ୍ୟର ଅତିରିକ୍ତ ଖର୍ଚ୍ଚ ପାଇଁ ଅନୁଦାନ ଦାବି ଉପରେ ଆଲୋଚନା ହେବ। ନଭେମ୍ବର ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଅତିରିକ୍ତ ବ୍ୟୟ ବିବରଣୀ ସମ୍ପର୍କିତ ଅନୁଦାନ ଦାବି ଉପରେ ଆଲୋଚନା ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଏହାପରେ ନଭେମ୍ବର ୩୦ ତାରିଖରେ ଅତିରିକ୍ତ ବ୍ୟୟ ମଞ୍ଜୁରି ବିଲ୍‌ ଗୃହରେ ଉପସ୍ଥାପନ ହେବାର କାର୍ଯ୍ୟସୂଚୀ ରହିଛି। ଚଳିତ ବର୍ଷର ବଜେଟ୍‌ ଓ ମୌସୁମୀ ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟଦିବସ ଶେଷ ହୋଇଛି। ତେଣୁ ବର୍ଷକୁ ବିଧାନସଭାର ୬୦ ଦିନ ବୈଠକ ବସିବା ନିୟମକୁ ଧ୍ୟାନରେ ରଖି ଶୀତ ଅଧିବେଶନ ପାଇଁ ୩୩ଟି କାର୍ଯ୍ୟଦିବସର କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଥିବା ଉଲ୍ଲେଖ କରାଯାଇଛି।

 

Leave a Reply

Your email address will not be published. Required fields are marked *