Cyclone Breaking: ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’କୁ ନେଇ ଚେତାବନୀ ଜାରି କଲା ଭାରତୀୟ ପାଣିପାଗ ବିଭାଗ

ଭୁବନେଶ୍ୱର,୨୭/୧୦: ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’କୁ ନେଇ ଚେତାବନୀ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ବାତ୍ୟା ‘ଅର୍ଣ୍ଣବ’ ଏବେ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଘୁର୍ଣ୍ଣିବଳୟ ଘଣ୍ଟା ପିଛା ୨୩କିମି ବେଗରେ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଛି । ଆଜି ଏହାର ରୂପରେଖ ଆହୁରି ବଦଳିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆରମ୍ଭରୁ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ବଢ଼ିବ ଏବଂ ପରେ ଉତ୍ତର-ପଶ୍ଚିମ ଅଭିମୁଖେ ଦିଗ ବଦଳାଇ ବାପଟଲା ଏବଂ ବିଶାଖାପାଟଣା ମଧ୍ୟରେ ୟାନମ ନିକଟରେ ସ୍ଥଳଭାଗ ଅତିକ୍ରମ କରିବ। ସ୍ଥଳଭାଗ ସ୍ପର୍ଶ କଲା ବେଳକୁ ବାତ୍ୟାର ଘଣ୍ଟା ପିଛା ପବନର ବେଗ ୧୨୫ରୁ ୧୩୫କିମି ରହିବାର ଅନୁମାନ କରାଯାଉଛି। କିନ୍ତୁ ଏହା ଘଣ୍ଟା ପିଛା ୧୫୦କିମି ପହଞ୍ଚି ପାରେ । ଅକ୍ଟୋବର ୩୦ ତାରିଖ ସକଳା ପର୍ଯ୍ୟନ୍ତ ମାଛ ଧରିବାକୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ସମୁଦ୍ରର ସ୍ଥିତି ଏବେ ଖରାପ ରହିବ। ବନ୍ଦରଗୁଡ଼ିକ ପାଇଁ ମଧ୍ୟ ବିପଦ ସଂକେତ ଜାରି କରାଯାଇଛି। ଆନ୍ଧ୍ରପ୍ରଦେଶର କାକିନାଡା ବନ୍ଦରକୁ ଜିଡି-୧୦ ବର୍ଗରେ ରଖାଯାଇଛି। ବିଶାଖାପାଟଣା ଏବଂ ଗଂଗାୱରମକୁ ଜିଡି-୯ ତଥା ମଛଲିପାଟନମ ଏବଂ ନିଜାମାପଟ୍ଟନମକୁ ଜିଡି-୯ ସଂକେତ ମିଳିଛି। କଲିଙ୍ଗପାଟନମ, କୃଷ୍ଣାପଟନମ ଏବଂ ଭଡାରେବୁ ଭଳି ଅନ୍ୟ ବନ୍ଦରକୁ ଏଲ୍‌ସି-୩ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *