ନବୀନ ପଟ୍ଟନାୟକ ଲେଖିଥିବା ଚିଠିର ଜବାବ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ଏପରି କଥା..

ଭୁବନେଶ୍ୱର,୨୭/୧୦: କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜକୁ ନେଇ ଆନ୍ତଃରାଜ୍ୟ ସୀମା ବିବାଦ । ଏହି ପ୍ରସଙ୍ଗରେ ଅକ୍ଟୋବର ୧୯ ତାରିଖରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଲେଖିଥିବା ଚିଠିର ଜବାବ ଆଜି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚିଠିରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ୧୯୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବାଠାରୁ କୋଟିଆ ଗ୍ରାମପୁଞ୍ଜ ଓଡ଼ିଶାର ଅବିଚ୍ଛେଦ୍ୟ ଅଂଶ ହୋଇ ରହିଆସିଛି । ରାଜ୍ୟର ଭୌଗୋଳିକ ଅଖଣ୍ଡତା ଓ ଆଇନସମ୍ମତ ସ୍ୱାର୍ଥର ସୁରକ୍ଷା ପାଇଁ ସରକାର ପ୍ରତିବଦ୍ଧ । ନବୀନଙ୍କ ଚିଠିର ଆଭିମୁଖ୍ୟକୁ ନେଇ ମଧ୍ୟ ନିଜ ମତ ରଖିଛନ୍ତି ମୋହନ । କୋଟିଆ ପ୍ରସଙ୍ଗରେ ନବୀନଙ୍କୁ ମୋହନଙ୍କ ଜବାବ ‘ରାଜନୈତିକ ଦୃଷ୍ଟିକୋଣ ନୁହେଁ, ଆଇନଗତ ସମାଧାନ ଉପରେ ଗୁରୁତ୍ୱ ଦିଅନ୍ତୁ’ । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ରାଜନୈତିକ ଦୃଷ୍ଟିକୋଣରୁ ନ ଦେଖି ଗଠନମୂଳକ ଓ ଆଇନଗତ ଭାବେ ଗ୍ରହଣୀୟ ସମାଧାନ ଦିଗରେ ଆଗେଇବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହା ସହ କୋଟିଆ ଓ ଏହାର ଆଖପାଖ ଅଞ୍ଚଳର ସମନ୍ୱିତ ବିକାଶ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିବା କଥା ଚିଠିରେ ଉଲ୍ଲେଖ ରହିଛି । ବିଭିନ୍ନ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଅଞ୍ଚଳ ପରିଦର୍ଶନ କରି ବିକାଶମୂଳକ ଆବଶ୍ୟକତାର ସମୀକ୍ଷା କରୁଥିବା ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଦୀର୍ଘଦିନର ଏହି ବିବାଦର ସମାଧାନ ପାଇଁ ସମସ୍ତ ପକ୍ଷ ସଂଯମ, ଦାୟିତ୍ୱବୋଧ ଓ ନ୍ୟାୟିକ ପ୍ରକ୍ରିୟା ପ୍ରତି ସମ୍ମାନ ରଖିବା ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ମୋହନ । ଏଥିସହ ସମସ୍ୟାର ସମାଧାନ ପାଇଁ ନବୀନଙ୍କଠାରୁ ଗଠନମୂଳକ ପରାମର୍ଶ ମଧ୍ୟ ଲୋଡ଼ିଛନ୍ତି ।

Leave a Reply

Your email address will not be published. Required fields are marked *