ଭୁବନେଶ୍ୱର,୨୪/୧୦: ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ। ଏହା ଅଧିକ ଘନୀଭୂତ ହୋଇ ବଙ୍ଗୋପସାଗରରେ ଅବପାତର ରୂପ ନେବ ଏହି ଲଘୁଚାପ। ଆସନ୍ତାକାଲି ଗଭୀର ଅବପାତ ଏବଂ ୨୬ ତାରିଖରେ ଏକ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ୨୮ ତାରିଖ ସକାଳ ସୁଦ୍ଧା ଏହା ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବା ନେଇ ଆକଳନ କରାଯାଇଛି। ପବନରେ ବେଗ ୨୬ ସକାଳ ବେଳକୁ ୭୦-୮୦ କିମି ଏପରିକି ଝଟକା ପବନ ୯୦ କିଲୋମିଟର ପର୍ଯ୍ୟନ୍ତ ଛୁଇଁପାରେ। ଏହାପରେ ବାତ୍ୟାଟି ଉପକୂଳ ଆଡକୁ ଯେତିକି ବଢ଼ିବ ପବନର ବେଗ ମଧ୍ୟ ବଢ଼ିବାରେ ଲାଗିବ। ତେବେ ଲ୍ୟାଣ୍ଡଫଲ୍ ବେଳେ ବେଗ କେତେ ରହିବ ସେନେଇ ଆଇଏମ୍ଡି ପକ୍ଷରୁ ଏବେ କୌଣସି ଆକଳନ କରାଯାଇ ନାହିଁ। ଆଜି ଅବପାତ ସୃଷ୍ଟି ହେବା ପରେ ବାତ୍ୟାର ସମ୍ଭାବ୍ୟ ଗତିପଥ ଓ ପବନର ବେଗ ସଂପର୍କରେ ସ୍ପଷ୍ଟତା ଆସିବ ବୋଲି କୁହାଯାଇଛି।