ଛାତ୍ର ସଂସଦ ନିର୍ବାଚନର ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬/୧୦: ଛାତ୍ର ସଂସଦ ନିର୍ବାଚନର ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ବିରୋଧୀ ଦଳକୁ ବି କଟାକ୍ଷ କରିଛନ୍ତି । ପୂର୍ବ ସରକାର ନିଜର ରାଜନୈତିକ ସ୍ୱାର୍ଥ ପାଇଁ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରଖିଥିଲେ । ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ସ୍ୱରକୁ ଚାପି ଦେଇଥିଲେ ବୋଲି ମୁଖ୍ୟମନ୍ତ୍ରୀ ଏକ୍ସରେ ଉଲ୍ଲେଖ କରିଛନ୍ତି । ଏଥିସହ ସେ ଲେଖିଛନ୍ତି, ଆମେ ଛାତ୍ର ସମାଜକୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି, ସଫଳତାର ସହ ନିର୍ବାଚନ ପରିଚାଳନା କରିଛୁ । କ୍ୟାମ୍ପସରେ ଗଣତନ୍ତ୍ରର ପୁନଃପ୍ରତିଷ୍ଠା କରିଛୁ । ବିଜୟୀ ପ୍ରାର୍ଥୀମାନେ ଛାତ୍ରଛାତ୍ରୀଙ୍କ ଆଶା, ଆକାଂକ୍ଷା ତଥା ସେମାନଙ୍କ ସ୍ୱରକୁ ସମ୍ମାନ ଜଣାଇ ଦାୟିତ୍ୱକୁ ନିଷ୍ଠା ଓ ସଚ୍ଚୋଟତାର ସହ ତୁଲାଇବେ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି । କ୍ୟାମ୍ପସରେ ଶୃଙ୍ଖଳା, ଶୈକ୍ଷିକ ବାତାବରଣ, ଏକତା ଓ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରାକୁ ଆହୁରି ସୁଦୃଢ଼ କରି ଏକ ବିକଶିତ ଓଡ଼ିଶା ଗଠନରେ ଆପଣମାନେ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତୁ । ସମସ୍ତ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଉଜ୍ଜ୍ୱଳ ଭବିଷ୍ୟତ ତଥା ସଫଳ କାର୍ଯ୍ୟକାଳ କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ଏକ୍ସରେ ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *