ନୂଆଦିଲ୍ଲୀ,୧୬/୧୦: ଆମେରିକାରେ ପୁଣି ଗୁଳିର ଶବ୍ଦରେ ଥରି ଉଠିଲା ଶିକ୍ଷାନୁଷ୍ଠାନ ପରିସର । ଏକ ସ୍କୁଲରେ ଭୟଙ୍କର ଗୁଳିକାଣ୍ଡରେ ୩ ଜଣ ଶିଶୁଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଏଥିସହ ସନ୍ଦିଗ୍ଧ ବନ୍ଧୁକଧାରୀ ମଧ୍ୟ ପ୍ରାଣ ହରାଇଥିବା ସୂଚନା ମିଳିଛି । ଆମେରିକାର ଓରେଗନ୍ ରାଜ୍ୟର ବେଣ୍ଡ ସହରରେ ଥିବା ସିଲଭର ରେଲ୍ ଏଲିମେଣ୍ଟାରୀ ସ୍କୁଲରେ ଗୁରୁବାର ଘଟିଛି ଏହି ହୃଦୟବିଦାରକ ଘଟଣା । ଗୁଳିକାଣ୍ଡ ପରେ ସ୍କୁଲ ପରିସରରେ ଆତଙ୍କର ବାତାବରଣ ଖେଳିଯାଇଥିଲା। ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ ଓ ଜରୁରୀକାଳୀନ ଉଦ୍ଧାରକାରୀ ଦଳ । ପ୍ରାଥମିକ ସୂଚନା ଅନୁଯାୟୀ, ଗୁଳିକାଣ୍ଡ ଘଟାଇଥିବା ସନ୍ଦିଗ୍ଧ ବ୍ୟକ୍ତି ଜଣେ ନାବାଳକ ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଉପସ୍ଥିତ ଜଣେ ସାହସୀ ନାଗରିକଙ୍କ ଗୁଳିରେ ସନ୍ଦିଗ୍ଧଙ୍କ ମୃତ୍ୟୁ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । ତେବେ ଏହି ଘଟଣାର ପ୍ରକୃତ କାରଣ ଓ ଗୁଳିକାଣ୍ଡ ପଛରେ ଥିବା ଉଦ୍ଦେଶ୍ୟ ଜାଣିବାକୁ ତଦନ୍ତ ଜାରି ରହିଛି । ସବୁଠାରୁ ଚିନ୍ତାଜନକ କଥା ହେଉଛି, ଏହି ସ୍କୁଲରେ ପ୍ରାକ୍-ପ୍ରାଥମିକରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୪୫୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ୪୦ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଗୁଳିକାଣ୍ଡରେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି ।