ଜ୍ଞାନେଶ କୁମାରଙ୍କ ଦିଲ୍ଲୀ ବାହାରକୁ ଯିବାକୁ ଥିବା ସମସ୍ତ ଗସ୍ତ ଆଗାମୀ କିଛି ଦିନ ପାଇଁ ସ୍ଥଗିତ

ନୂଆଦିଲ୍ଲୀ,୧୦/୧୦: ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ ଭୋଟ ଚୋରି ଅଭିଯୋଗକୁ ନେଇ ଦେଶରେ ରାଜନୈତିକ ବିବାଦ ଜାରି ରହିଛି । ଏହାରି ମଧ୍ୟରେ ଜ୍ଞାନେଶ କୁମାରଙ୍କ ସମେତ ଅନ୍ୟ ଦୁଇ ନିର୍ବାଚନ କମିଶନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ସେପଟେ ଜ୍ଞାନେଶ କୁମାର ଦିଲ୍ଲୀ ବାହାରକୁ ଯିବାକୁ ଥିବା ନିଜର ସମସ୍ତ ଗସ୍ତକୁ ଆଗାମୀ କିଛି ଦିନ ପାଇଁ ସ୍ଥଗିତ ରଖିଛନ୍ତି ।ସୁରକ୍ଷା ଏଜେନ୍ସିର ସୂତ୍ର ଅନୁଯାୟୀ, ଜ୍ଞାନେଶ କୁମାରଙ୍କୁ ପୂର୍ବରୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ମିଳିଛି । ତଥାପି ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ତାଙ୍କ ସହ ତାଙ୍କ ପରିବାର ଏବଂ ଦିଲ୍ଲୀ ଓ ଉତ୍ତରପ୍ରଦେଶର ଆଗ୍ରାରେ ଥିବା ତାଙ୍କ ଘରର ସୁରକ୍ଷା ସମୀକ୍ଷା କରାଯାଇଛି । ଆବଶ୍ୟକତା ଅନୁସାରେ ଅତିରିକ୍ତ ସୁରକ୍ଷା କର୍ମୀ ମୁତୟନ କରାଯାଇଛନ୍ତି ।

ସୁରକ୍ଷା ଏଜେନ୍ସିର ସୂତ୍ର ଅନୁଯାୟୀ, ଜ୍ଞାନେଶ କୁମାରଙ୍କ ଘରୁ କାର୍ଯ୍ୟାଳୟ କିମ୍ବା ଅନ୍ୟ ସ୍ଥାନକୁ ଯିବା ଆସିବାର ସମୟ ଓ କାର୍ଯ୍ୟକ୍ରମକୁ ଗୋପନ ରଖାଯାଉଛି । ଯାତ୍ରା ସମୟରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ, ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ଚାରିପଟେ ବହୁ ସଂଖ୍ୟାରେ ପୁଲିସ ମୁତୟନ କରାଯାଇଛି। ଦିଲ୍ଲୀରେ ତାଙ୍କ ବାସଭବନକୁ ଆସୁଥିବା ଲୋକଙ୍କ ଯାଞ୍ଚ ପରେ ହିଁ ଭିତରକୁ ଯିବାକୁ ଅନୁମତି ଦିଆଯାଉଛି ।

Leave a Reply

Your email address will not be published. Required fields are marked *