ପଶ୍ଚିମବଙ୍ଗରେ UCC ଲାଗୁ କରିବା ନେଇ ବଡ଼ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ

ନୂଆଦିଲ୍ଲୀ,୦୨/୧୦: ପଶ୍ଚିମବଙ୍ଗରେ ସମାନ ନାଗରିକ ସଂହିତା ଲାଗୁ କରିବା ନେଇ ବଡ଼ ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ରବିବାର କୋଲକାତାରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ଉତ୍ତରାଖଣ୍ଡ ଓ ଗୁଜରାଟ ଭଳି ପଶ୍ଚିମବଙ୍ଗରେ ମଧ୍ୟ UCC ଲାଗୁ କରାଯିବ । ଏଥିସହ ଆଗାମୀ ୬ ମାସ ମଧ୍ୟରେ ‘ଲଭ୍ ଜିହାଦ’ ଏବଂ ‘ଲ୍ୟାଣ୍ଡ ଜିହାଦ’ ବିରୋଧରେ ଆଇନ ଅଣାଯିବ ବୋଲି ସେ କହିଛନ୍ତି । ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ, ତାଙ୍କ ସରକାର ସମ୍ବିଧାନ ଅନୁଯାୟୀ କାର୍ଯ୍ୟ କରିବ । ଏହା ସହିତ ଭାରତୀୟ ସଂସ୍କୃତି, ସନାତନ ପରମ୍ପରା ଏବଂ ମନ୍ଦିର-ମଠ ଉପରେ କୌଣସି ପ୍ରକାରର ଆକ୍ରମଣକୁ ସରକାର ଅନୁମତି ଦେବ ନାହିଁ ବୋଲି ସେ ଆଶ୍ୱାସନ ଦେଇଛନ୍ତି ।ପଶ୍ଚିମବଙ୍ଗରେ UCC ଲାଗୁ କରିବା ପାଇଁ ସରକାର ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିବା ଶୁଭେନ୍ଦୁ ଅଧିକାରୀ କହିଛନ୍ତି । ଏହି କମିଟି ପଶ୍ଚିମବଙ୍ଗ ପାଇଁ ପ୍ରସ୍ତାବିତ UCC ବିଲ୍‌ର ଡ୍ରାଫ୍ଟ ଯାଞ୍ଚ କରିବ । UCC ଲାଗୁ ହେଲେ ବିବାହ, ଛାଡ଼ପତ୍ର, ଉତ୍ତରାଧିକାର ଏବଂ ପୋଷ୍ୟ ସନ୍ତାନ ଗ୍ରହଣ ଭଳି ବ୍ୟକ୍ତିଗତ ଆଇନ ସମ୍ବନ୍ଧୀୟ ବିଷୟରେ ବିଭିନ୍ନ ସମ୍ପ୍ରଦାୟ ପାଇଁ ସମାନ ନାଗରିକ ନିୟମ ଲାଗୁ କରିବା ଏହାର ଉଦ୍ଦେଶ୍ୟ ବୋଲି କୁହାଯାଇଛି । ପଶ୍ଚିମବଙ୍ଗରେ UCC ଲାଗୁ କରିବା BJPର ୨୦୨୬ ବିଧାନସଭା ନିର୍ବାଚନର ପ୍ରମୁଖ ପ୍ରତିଶ୍ରୁତି ମଧ୍ୟରେ ଥିଲା ବୋଲି ଶୁଭେନ୍ଦୁ କହିଛନ୍ତି ।

Leave a Reply

Your email address will not be published. Required fields are marked *