ଭିଜିଲାନ୍ସ ଜାଲରେ ଯାଜପୁର ବଡ଼ଚଣା ବ୍ଲକ୍‌ର ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର,୨୯/୦୯: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଯାଜପୁର ବଡ଼ଚଣା ବ୍ଲକ୍‌ର ସହକାରୀ ଯନ୍ତ୍ରୀ ବନ୍ଦିତା ଦାଶ । ଲାଞ୍ଚ ନେବା ଅଭିଯୋଗରେ ଗତକାଲି ଭିଜିଲାନ୍ସ ତାଙ୍କୁ ଏବଂ ତାଙ୍କ ସହଯୋଗୀ ସୋମନାଥ ସେଠୀଙ୍କୁ ଧରିଥିବା ବେଳେ, ଏହାପରେ ବନ୍ଦିତାଙ୍କ ସହ ସମ୍ପର୍କିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। କଟକ ଜଗତପୁରସ୍ଥିତ ତାଙ୍କ ଘରେ ଚଢ଼ାଉ ବେଳେ ୫ ଲକ୍ଷ ୧୫ ହଜାର ଟଙ୍କା ନଗଦ ଜବତ ହୋଇଥିବା ସୂଚନା ମିଳିଛି। ଭିଜିଲାନ୍ସର ସୂଚନା ଅନୁସାରେ, ବଡ଼ଚଣା ବ୍ଲକ୍‌ରେ ଏକ ସ୍କୁଲ୍‌ ନିର୍ମାଣ କାମ ସରିବା ପରେ ଠିକାଦାରଙ୍କ ବକେୟା ବିଲ୍‌ ପାସ୍‌ କରିବା ଏବଂ ସିକ୍ୟୁରିଟି ଜମା ଟଙ୍କା ଫେରସ୍ତ କରିବା ପାଇଁ ୩୫ ହଜାର ଟଙ୍କା ଦାବି ହୋଇଥିବା ଅଭିଯୋଗ ହୋଇଥିଲା। ୩୫ ହଜାର ଟଙ୍କାର ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହାପରେ ବନ୍ଦିତାଙ୍କ ସହ ସମ୍ପର୍କିତ ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି। ଚଢ଼ାଉ ସମୟରେ ଜଗତପୁରସ୍ଥିତ ବାସଭବନରୁ ୫ ଲକ୍ଷ ୧୫ ହଜାର ଟଙ୍କା ନଗଦ ମିଳିଥିବା ଜଣାପଡ଼ିଛି। ତେବେ ଏହି ନଗଦ ଟଙ୍କାର ଉତ୍ସ ଏବଂ ଏହା ବନ୍ଦିତା ଦାଶଙ୍କ ଜଣାଶୁଣା ଆୟ ସହ ସମନ୍ୱୟ ରଖୁଛି କି ନାହିଁ, ସେନେଇ ଭିଜିଲାନ୍ସ ଯାଞ୍ଚ କରୁଛି।

Leave a Reply

Your email address will not be published. Required fields are marked *