ଭତ୍ତା ପାଇନଥିବା ହିତାଧିକାରୀଙ୍କୁ ଅକ୍ଟୋବର ମାସ ସୁଦ୍ଧା ବକେୟା ଅର୍ଥ ସହ ନିୟମିତ ଭତ୍ତା ପ୍ରଦାନ କରାଯିବ: ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର,୨୫/୦୫: ରାଜ୍ୟର ଭତ୍ତା ହିତାଧିକାରୀଙ୍କ ପାଇଁ ଆସିଲା ଖୁସି ଖବର । ଗତ କିଛି ମାସ ଧରି ଭତ୍ତା ପାଇନଥିବା ହିତାଧିକାରୀଙ୍କୁ ଅକ୍ଟୋବର ମାସ ସୁଦ୍ଧା ବକେୟା ଅର୍ଥ ସହ ନିୟମିତ ଭତ୍ତା ପ୍ରଦାନ କରାଯିବ । ବିଧାନସଭାରେ ଏନେଇ ଲିଖିତ ଉତ୍ତର ରଖିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀଙ୍କ ସୂଚନା ଅନୁସାରେ, ରାଜ୍ୟରେ ଇନ୍ଦିରା ଗାନ୍ଧୀ ଜାତୀୟ ଭତ୍ତା ଯୋଜନା ଅଧୀନରେ ମୋଟ ୨୦ ଲକ୍ଷ ୩୩ ହଜାର ୯୫୯ ଜଣ ହିତାଧିକାରୀ ରହିଛନ୍ତି । ତେବେ ଏମାନଙ୍କ ମଧ୍ୟରୁ କିଛି ହିତାଧିକାରୀଙ୍କୁ ଗତ ପ୍ରାୟ ୪ ମାସ ଧରି ଭତ୍ତା ମିଳିପାରିନାହିଁ ।

ଭତ୍ତା ପ୍ରଦାନରେ ବିଳମ୍ବ ପଛରେ ବିଭିନ୍ନ ବୈଷୟିକ ତ୍ରୁଟି ଓ ସିଷ୍ଟମ୍ ସମ୍ପର୍କିତ ସମସ୍ୟା ରହିଥିବା ମନ୍ତ୍ରୀ ତାଙ୍କ ଲିଖିତ ଉତ୍ତରରେ ଦର୍ଶାଇଛନ୍ତି । ଏହି ସମସ୍ୟା ସମ୍ପର୍କରେ ରାଜ୍ୟ ସରକାର ଅବଗତ ଥିବା ସହ ଏହାର ସମାଧାନ ପାଇଁ ବିଭିନ୍ନ ସ୍ତରରେ ପଦକ୍ଷେପ ନିଆଯାଉଛି। ବକେୟା ଭତ୍ତା ପ୍ରଦାନ ପ୍ରକ୍ରିୟାରେ ରାଜ୍ୟ ସରକାର, ଅର୍ଥ ବିଭାଗ, କେନ୍ଦ୍ର ସରକାର ଓ ଟ୍ରେଜେରୀ ମଧ୍ୟରେ ସମନ୍ୱୟ ରଖାଯାଉଛି। ଟେକ୍ନିକାଲ୍ ସମସ୍ୟା ସମାଧାନ କରି ଭତ୍ତା ବଣ୍ଟନ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ଦିଗରେ କାମ ଚାଲିଛି।

ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ବଞ୍ଚିତ ହିତାଧିକାରୀଙ୍କୁ ବକେୟା ଅର୍ଥ ସହ ନିୟମିତ ଭତ୍ତା ପ୍ରଦାନ କରିବାକୁ ପ୍ରକ୍ରିୟା ଜାରି ରହିଛି। ରାଜ୍ୟରେ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ଭତ୍ତା ପ୍ରଦାନ ପାଇଁ SSEPD ବିଭାଗର ଅନଲାଇନ୍ ବ୍ୟବସ୍ଥା ରହିଛି। ବିଭାଗର ପୋର୍ଟାଲରେ ହିତାଧିକାରୀଙ୍କ ଭତ୍ତା ସମ୍ପର୍କିତ ତଥ୍ୟ ଓ DBT ମାଧ୍ୟମରେ ଭତ୍ତା ପ୍ରଦାନ ବ୍ୟବସ୍ଥା ଉପଲବ୍ଧ ଅଛି

Leave a Reply

Your email address will not be published. Required fields are marked *