ଭୁବନେଶ୍ୱର,୨୧/୦୯: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପକୁ ନେଇ ବଡ଼ ସୂଚନା ଆସିଛି । ଏହା ଗଭୀର ଅବପାତର ରୂପ ନେବା ସମ୍ଭାବନା ଥିବାବେଳେ ବାତ୍ୟାର ଆଶଙ୍କା ନଥିବା ସୂଚନା ମିଳିଛି । ଗଭୀର ଅବପାତ ପ୍ରଭାବରେ ୧୧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୨୨ରୁ ୨୪ ତାରିଖ ଯାଏଁ ସ୍ଥିତି ଗୁରୁତ୍ୱପୂର୍ଣ୍ଣ ରହିବ । ଏନେଇ ଦକ୍ଷିଣାଞ୍ଚଳ ଓ ଉପକୂଳ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି । ବର୍ଷା ଓ ସମ୍ଭାବ୍ୟ ପ୍ରଭାବକୁ ନେଇ ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ପ୍ରଶାସନର ପ୍ରସ୍ତୁତି ନେଇ ଆଲୋଚନା ହୋଇଛି । ଲଘୁଚାପ ପ୍ରଭାବରେ ଓଡ଼ିଶାର ଦକ୍ଷିଣ ଓ ଉପକୂଳ ଅଞ୍ଚଳରେ ବର୍ଷା ବଢ଼ିବ । ୨୩ ଓ ୨୪ ତାରିଖରେ କିଛି ଜିଲ୍ଲାରେ ଅତି ପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ବାଲିମେଳା ଓ କୋଲାବ ଡ୍ୟାମ୍ରେ ପାଣି ଅଧିକ ନଥିବାରୁ ବର୍ତ୍ତମାନ ଚିନ୍ତା ନାହିଁ । ତେବେ ଇନ୍ଦ୍ରାବତୀ ଡ୍ୟାମ୍ରେ ୮୪ ପ୍ରତିଶତ ପାଣି ଥିବାରୁ ଏହାର ଜଳସ୍ତର କମାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଡ୍ୟାମ୍ଗୁଡ଼ିକର ସ୍ଥିତି ଉପରେ ନଜର ରଖିବାକୁ ଜଳସମ୍ପଦ ବିଭାଗକୁ କୁହାଯାଇଛି ।
ସମ୍ଭାବ୍ୟ ବର୍ଷାକୁ ନେଇ ପ୍ରଶାସନକୁ ଆଲର୍ଟ ରଖାଯାଇଛି । ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା ସହ ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ରହିଛି । ଆଜିଠାରୁ ସବୁ ଜିଲ୍ଲାରେ କଣ୍ଟ୍ରୋଲ ରୁମ୍ ଖୋଲିବ । ଏସଆରସି ଅଫିସରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ମଧ୍ୟ ପରିଚାଳନା କରାଯିବ । ପାଣି ଜମୁଥିବା ଅଞ୍ଚଳରେ ମାନବବଳ ଓ ଆବଶ୍ୟକ ମେସିନ୍ ପ୍ରସ୍ତୁତ ରଖିବାକୁ କୁହାଯାଇଛି । ଆବଶ୍ୟକ ପଡ଼ିଲେ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ଏଥିପାଇଁ ପ୍ରଶାସନକୁ ଆଗୁଆ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଆସନ୍ତା ୩ ଦିନ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ସମୁଦ୍ର ଓ ଉପକୂଳ ଅଞ୍ଚଳର ସ୍ଥିତି ଉପରେ ପ୍ରଶାସନ ନଜର ରଖିବ । ସମୀକ୍ଷା ବୈଠକରେ ଏସଆରସି, ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ, ଅଗ୍ନିଶମ ଡିଜି ଓ ଆଇନଶୃଙ୍ଖଳା ଏଡିଜିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।