ଘନୀଭୂତ ହେଉଛି ଲଘୁଚାପ, ଓଡ଼ିଶାରେ ୨୨ରୁ ୨୬ ପ୍ରବଳ ବର୍ଷା ସମ୍ଭାବନା!

ଭୁବନେଶ୍ୱର, ୨୦/୦୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଧୀରେ ଧୀରେ ଘନୀଭୂତ ହେଉଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୧ ସେପ୍ଟେମ୍ବରରେ ଅବପାତ ଏବଂ ୨୨ ତାରିଖ ବେଳକୁ ଗଭୀର ଅବପାତରେ ପରିଣତ ହୋଇପାରେ ।  ତେବେ ଲଘୁଚାପଟି ବାତ୍ୟାର ରୂପ ନେବ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହାର ପ୍ରଭାବରେ ଓଡ଼ିଶାରେ ୨୨ରୁ ୨୬ ସେପ୍ଟେମ୍ବର ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।

୨୨ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହାସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି ।

ସେହିପରି ୨୩ ସେପ୍ଟେମ୍ବରରେ ବର୍ଷାର ପ୍ରକୋପ ଆହୁରି ବଢ଼ିପାରେ । କନ୍ଧମାଳ, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ଅତି ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଜଗତସିଂହପୁର, କଟକ, ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଖୋର୍ଦ୍ଧା ଜିଲ୍ଲାକୁ ଅରେଞ୍ଜ ଚେତାବନୀ ଦିଆଯାଇଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ନୂଆପଡ଼ା ଓ ବଲାଙ୍ଗିରରେ ପ୍ରବଳ ବର୍ଷା ପାଇଁ ହଳଦିଆ ଚେତାବନୀ ରହିଛି ।

Leave a Reply

Your email address will not be published. Required fields are marked *