ରାଜ୍ୟରେ ବଢୁଛି ଅଣ୍ଡା ଦର, ଆଗକୁ ଦାମ ୧୫ଟଙ୍କା ଛୁଇଁବା ଆଶଙ୍କା

ଭୁବନେଶ୍ୱର, ୦୩/୦୯: ରାଜ୍ୟରେ ଏବେ ଅଣ୍ଡା ଦର ବଢ଼ିବାରେ ଲାଗିଛି । ବଜାରରେ ଗୋଟିଏ ଅଣ୍ଡାର ଦାମ ୮ରୁ ୯ ଟଙ୍କାରେ ପହଞ୍ଚିଥିବାବେଳେ ଆଗକୁ ଏହା ୧୫ ଟଙ୍କା ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି । ଦର ବୃଦ୍ଧିକୁ ନେଇ ଗ୍ରାହକଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ବଢ଼ିଛି । ବଜାର ବିଶେଷଜ୍ଞଙ୍କ ମତରେ, କୁକୁଡ଼ା ଖାଦ୍ୟରେ ବ୍ୟବହୃତ ମକା ଦର ବଢ଼ିବା ଏହାର ଏକ ପ୍ରମୁଖ କାରଣ । ମକାର ବ୍ୟବହାର ଇଥାନଲ୍‌ ଉତ୍ପାଦନରେ ବଢ଼ିଥିବାରୁ ଏହାର ଦାମ୍‌ ଉପରମୁହାଁ ହୋଇଛି । ଫଳରେ କୁକୁଡ଼ା ଖାଦ୍ୟ ମହଙ୍ଗା ହେବା ସହ ଅଣ୍ଡା ଦର ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଛି ।

ଅନ୍ୟପଟେ, ଅଣ୍ଡା ଦର ବୃଦ୍ଧିକୁ ନେଇ ଭିନ୍ନ କାରଣ ଦର୍ଶାଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ । ମନ୍ତ୍ରୀଙ୍କ କହିବାନୁସାରେ, ରାଜ୍ୟରେ ଅଣ୍ଡାର ଚାହିଦା ଅଧିକ ରହିଛି। ଏହା ସହ ଓଡ଼ିଶାରୁ ବାହାର ରାଜ୍ୟକୁ ମଧ୍ୟ ଅଣ୍ଡା ରପ୍ତାନୀ ହେଉଛି। ବର୍ତ୍ତମାନ ରାଜ୍ୟରେ ଦୈନିକ ପ୍ରାୟ ୧ କୋଟି ୨୫ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି । ଅଣ୍ଡା ଉତ୍ପାଦନ ବଢ଼ାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଦୈନିକ ଅଣ୍ଡା ଉତ୍ପାଦନକୁ ୨ କୋଟିରେ ପହଞ୍ଚାଇବା ପାଇଁ କୁକୁଡ଼ା ଚାଷୀଙ୍କୁ ବିଭିନ୍ନ ପ୍ରୋତ୍ସାହନ ଦିଆଯାଉଛି। ଉତ୍ପାଦନ ବଢ଼ିଲେ ଆଗାମୀ ଦିନରେ ଅଣ୍ଡା ଦରରେ ମଧ୍ୟ ହ୍ରାସ ଘଟିବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *