ଭୁବନେଶ୍ୱର,୦୨/୦୯: ପିୟୁସିସି ନିୟମକୁ ନେଇ ବଡ଼ ଘୋଷଣା । ଜରିମାନା କମାଇଲେ ରାଜ୍ୟ ସରକାର । ପ୍ରଦୂଷଣ ଯାଞ୍ଚ ପ୍ରମାଣପତ୍ର ବା ପିୟୁସିସି ନିୟମ ଉଲ୍ଲଂଘନ ପାଇଁ ଧାର୍ଯ୍ୟ କରାଯାଇଥିବା ମୋଟା ଅଙ୍କର ଜରିମାନା ରାଶିକୁ ହ୍ରାସ କରାଯାଇଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଥିବା ୧୦,୦୦୦ ଟଙ୍କାର ବଡ଼ ଜରିମାନା ରାଶିକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ବାସ୍ତବରେ ଏହି ଜରିମାନା ରାଶି ୨୦୧୯ ମସିହାରେ ପୂର୍ବ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତ୍ତମାନର ସରକାର ଏଥିରେ ସଂଶୋଧନ ଆଣି ଲୋକଙ୍କୁ ବଡ଼ ରିହାତି ପ୍ରଦାନ କରିଛନ୍ତି । ନୂତନ ସଂଶୋଧିତ ନିୟମ ଅନୁଯାୟୀ, ଗାଡ଼ିର ପ୍ରକାର ଭେଦରେ ଜରିମାନା ରାଶି ସ୍ଥିର କରାଯାଇଛି । ମୋଟରସାଇକେଲ, ବାଇକ୍ ଏବଂ ତିନି ଚକିଆ ଯାନ (ଯାତ୍ରୀବାହୀ କିମ୍ବା ମାଲ ପରିବହନ) କ୍ଷେତ୍ରରେ ପ୍ରଥମ ଥର ନିୟମ ଉଲ୍ଲଂଘନ କଲେ ଏଣିକି ୧,୦୦୦ ଟଙ୍କା ଏବଂ ଦ୍ୱିତୀୟ ବା ପରବର୍ତ୍ତୀ ଉଲ୍ଲଂଘନ ପାଇଁ ୨,୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ସେହିପରି ମୋଟର କ୍ୟାବ୍, ମୋଟର କାର୍, ଜିପ୍, ଟ୍ରାକ୍ଟର ଏବଂ ଟ୍ରେଲର ପାଇଁ ପ୍ରଥମ ଥର ନିୟମ ଉଲ୍ଲଂଘନ ପାଇଁ ୨,୦୦୦ ଟଙ୍କା ଏବଂ ଦ୍ୱିତୀୟ ବା ପରବର୍ତ୍ତୀ ଉଲ୍ଲଂଘନ ପାଇଁ ୫,୦୦୦ ଟଙ୍କା ଜରିମାନା ଧାର୍ଯ୍ୟ ହୋଇଛି । ଅନ୍ୟାନ୍ୟ ପରିବହନ ଯାନ ଏବଂ ଉପରୋକ୍ତ ଶ୍ରେଣୀଭୁକ୍ତ ହୋଇନଥିବା ଗାଡ଼ି ଗୁଡ଼ିକ ପାଇଁ ପ୍ରଥମ ଥର ନିୟମ ଉଲ୍ଲଂଘନ କଲେ ୩,୦୦୦ ଟଙ୍କା ଏବଂ ପରବର୍ତ୍ତୀ ସମୟ ପାଇଁ ୬,୦୦୦ ଟଙ୍କା ଜରିମାନା ଦେବାକୁ ହେବ । ପୂର୍ବରୁ ଜନସାଧାରଣଙ୍କ ଅନୁରୋଧ କ୍ରମେ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ ପ୍ରକ୍ରିୟାକୁ କିଛି ଦିନ ପାଇଁ କୋହଳ କରାଯାଇଥିଲା ଏବଂ ଏହି ଅବଧି ଏପ୍ରିଲ୍ ୧ ଟାରିଖ ପର୍ଯ୍ୟନ୍ତ ବଳବତ୍ତର ଥିଲା । ମାତ୍ର ବର୍ତ୍ତମାନ ସରକାର ଏହି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି ।