ଭୁବନେଶ୍ୱର,୨୬/୦୮: ଆନ୍ଧ୍ର ପ୍ରଦେଶର ପଲନାଡୁ ଜିଲ୍ଲା ଚିଲକାଲୁରୀପେଟ୍ ନିକଟ ଅଡ୍ଡା ରୋଡ୍ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଘରୋଇ ଟ୍ରାଭେଲ୍ ବସ୍ ଓ ଅଟୋ-ରିକ୍ସା ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ପ୍ରାଥମିକ ସୂଚନା ଅନୁଯାୟୀ, ବସ୍ଟି ବିଜୟୱାଡ଼ାରୁ ଚେନ୍ନାଇ ଯାଉଥିଲା । ଏହି ସମୟରେ କୋଣ୍ଡା ମଞ୍ଜୁରୁରୁ ଭେଲୋରରେ ଏକ ଉତ୍ସବରେ ଯୋଗଦେବାକୁ ଯାଉଥିବା ଯାତ୍ରୀଙ୍କୁ ନେଇ ଯାଉଥିବା ଅଟୋ-ରିକ୍ସାକୁ ବସ୍ଟି ସାମ୍ନାରୁ ଧକ୍କା ଦେଇଥିଲା ।ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଓ ୧୦୮ ଆମ୍ବୁଲାନ୍ସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।