ଭୁବନେଶ୍ୱର୨୪/୦୮: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ମନ୍ଦିରରେ କାଉଡିଆଙ୍କ ଲାଗିଛି ଲମ୍ବା ଲାଇନ । ବଡ଼ ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ଶେଷ ସୋମବାରରେ ବାବାଙ୍କ ମସ୍ତକରେ ଜଳଲାଗି କରିବା ପାଇଁ ଦୂରଦୂରାନ୍ତରୁ ଛୁଟି ଆସିଛନ୍ତି କାଉଡ଼ିଆ ଓ ଶ୍ରଦ୍ଧାଳୁ । ଧାର୍ମିକ ବିଶ୍ୱାସ ଅନୁସାରେ, ଏହି ପବିତ୍ର ଦିନରେ ମହାଦେବଙ୍କ ମସ୍ତକରେ ଜଳଲାଗି କଲେ ପୁଣ୍ୟ ପ୍ରାପ୍ତି ସହ ମାନସିକ ଶାନ୍ତି ମିଳିଥାଏ । ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ରହିଛି ପ୍ରବଳ ଉତ୍ସାହ ଓ ଆସ୍ଥା । ପୂଜକ ସମିତି ପକ୍ଷରୁ ରାତି ୨ଟାରୁ ପହଡ଼ ଖୋଲାଯାଇ ୧୦୮ ସୁବାସିତ ଜଳରେ ବାବାଙ୍କ ସ୍ନାନ ଓ ସ୍ୱତନ୍ତ୍ର ନୀତିକାନ୍ତି ସମ୍ପନ୍ନ ହୋଇଛି । ଏହାପରେ ଭକ୍ତଙ୍କ ଦର୍ଶନ ଓ ଜଳଲାଗି ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଭିଡ଼କୁ ନଜରରେ ରଖି ପୀଠକୁ ସଂଯୋଗ କରୁଥିବା କଂକ୍ରିଟ ସେତୁରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । କେବଳ ଜଳକଳସ ଧରି ଭକ୍ତଙ୍କୁ ପୀଠ ଭିତରକୁ ପ୍ରବେଶ ଅନୁମତି ଦିଆଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ପୀଠରେ ବ୍ୟାପକ ପୁଲିସ ଫୋର୍ସ ସହ ଅଗ୍ନିଶମ ବିଭାଗର କର୍ମଚାରୀ ମୁତୟନ ରହିଛନ୍ତି ।