ଭୁବନେଶ୍ୱର,୨୩/୦୮: ଦିଲ୍ଲୀରେ ପୁଣି ବଢ଼ିବାରେ ଲାଗିଛି ଇନ୍ଫ୍ଲୁଏଞ୍ଜା ବା H1N1। ଚଳିତ ବର୍ଷ ଦିଲ୍ଲୀରେ ଏଯାଏଁ ୧,୭୭୭ଟି H1N1 ମାମଲା ରିପୋର୍ଟ ହୋଇଛି । ମୋଟ ଇନ୍ଫ୍ଲୁଏଞ୍ଜା-A ମାମଲା ମଧ୍ୟ ୨,୩୦୦ରୁ ଅଧିକ ରହିଛି । ମାମଲା ବଢ଼ୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ସତର୍କ ରହିବାକୁ ଆଡଭାଇଜରି ଜାରି କରିଛି । ବିଶେଷଜ୍ଞମାନଙ୍କ ମତରେ, ମୌସୁମୀ ପରିବର୍ତ୍ତନ ଓ ଆର୍ଦ୍ର ପାଗ ସମୟରେ ଶ୍ୱାସକ୍ରିୟା ସମ୍ପର୍କିତ ସଂକ୍ରମଣ ବଢ଼ିପାରେ । ଦିଲ୍ଲୀରେ ଗତ କିଛି ଦିନ ଧରି ଇନ୍ଫ୍ଲୁଏଞ୍ଜା ମାମଲା ଦ୍ରୁତଗତିରେ ବଢ଼ୁଥିବା ଡାକ୍ତରମାନେ ମଧ୍ୟ କହିଛନ୍ତି । ଅଗଷ୍ଟ ୨୧ ତାରିଖରେ ଗୋଟିଏ ଦିନରେ ୧୪୪ଟି ନୂଆ ଇନ୍ଫ୍ଲୁଏଞ୍ଜା ମାମଲା ରିପୋର୍ଟ ହୋଇଥିବା ସୂଚନା ମିଳିଛି । H1N1ର ସାଧାରଣ ଲକ୍ଷଣ ମଧ୍ୟରେ ଜ୍ୱର, କାଶ, ଗଳା ଦରଜ, ଶରୀରରେ ବେଦନା, ଥଣ୍ଡା ଲାଗିବା ଓ ଦୁର୍ବଳତା ଭଳି ସମସ୍ୟା ଦେଖାଯାଇପାରେ । କିଛି ଗୁରୁତର କ୍ଷେତ୍ରରେ ଶ୍ୱାସକଷ୍ଟ, ନିମୋନିଆ କିମ୍ବା ଅକ୍ସିଜେନ୍ ସ୍ତର କମିବା ଭଳି ଜଟିଳତା ହୋଇପାରେ ।ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ଶ୍ୱାସକ୍ରିୟାର ସ୍ୱଚ୍ଛତା ରକ୍ଷା କରିବା, ନିୟମିତ ହାତ ଧୋଇବା, ଭିଡ଼ ସ୍ଥାନରେ ସାବଧାନ ରହିବା ଏବଂ ଫ୍ଲୁ ଭଳି ଲକ୍ଷଣ ଦେଖାଦେଲେ ଅନ୍ୟମାନଙ୍କଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି । ଲକ୍ଷଣ ଗୁରୁତର ହେଲେ କିମ୍ବା ଶ୍ୱାସକଷ୍ଟ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ । ବିଶେଷକରି ଛୋଟ ଶିଶୁ, ବୃଦ୍ଧ, ଗର୍ଭବତୀ ମହିଳା ଏବଂ ପୂର୍ବରୁ ଅନ୍ୟ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଅଧିକ ସତର୍କ ରହିବାକୁ କୁହାଯାଇଛି ।