ବନ୍ୟା ପରେ ନଦୀବନ୍ଧ ସୁଦୃଢ଼ୀକରଣ ଉପରେ ଅଧିକ ଫୋକସ୍ ଦେବେ ସରକାର

ଭୁବନେଶ୍ୱର,୨୨/୦୮: ଚଳିତ ବନ୍ୟାରୁ ମିଳିଥିବା ଶିକ୍ଷା ପରେ ନଦୀବନ୍ଧ ସୁଦୃଢ଼ୀକରଣ ଉପରେ ଅଧିକ ଫୋକସ୍ କରିବେ ରାଜ୍ୟ ସରକାର । ବିଶେଷକରି ବୈତରଣୀ, ସାଳନ୍ଦୀ ଓ କାଣୀ ଭଳି ନଦୀର ଦୁର୍ବଳ ନଦୀବନ୍ଧଗୁଡ଼ିକୁ ମଜବୁତ କରାଯିବ । ନଦୀବନ୍ଧର ଉଚ୍ଚତା ବଢ଼ାଇବା ସହ ଚଉଡ଼ା କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଚଳିତ ବନ୍ୟାରେ ମନୁଷ୍ୟକୃତ ଘାଇ ହୋଇନଥିବା ସ୍ପଷ୍ଟ କରିଛି ବିଭାଗ । ନଦୀରେ ଅଧିକ ଜଳ ପ୍ରବାହ ଯୋଗୁଁ କେତେକ ସ୍ଥାନରେ ନଦୀବନ୍ଧ ଭାଙ୍ଗିଥିବା କୁହାଯାଇଛି । ଯେଉଁ ଘାଇ ହୋଇଥିଲା, ସେଥିରୁ ଦୁଇଟି ଘାଇକୁ ବନ୍ଦ କରାଯାଇଛି । ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ଅନ୍ୟାନ୍ୟ ମରାମତି କାମ ଶେଷ କରିବାକୁ ଯନ୍ତ୍ରୀମାନେ ଘଟଣାସ୍ଥଳରେ ରହି କାମ କରୁଛନ୍ତି ।

ଏପଟେ ରାଜ୍ୟରେ ବନ୍ୟା ସ୍ଥିତି ଧୀରେ ଧୀରେ ସୁଧୁରୁଛି । ଗତକାଲି ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ସୁବର୍ଣ୍ଣରେଖା ନଦୀରେ ବନ୍ୟା ସ୍ଥିତି କମିଥିବା ବେଳେ ଏହାର ଜଳସ୍ତର ବିପଦସଙ୍କେତ ତଳେ ରହିଛି । ଜଳକା, ବୈତରଣୀ ଓ ବ୍ରାହ୍ମଣୀ ନଦୀର ଜଳସ୍ତର ମଧ୍ୟ କମ୍ ରହିଛି । ସେହିପରି ରେଙ୍ଗାଲିରେ ଇନ୍‌ଫ୍ଲୋ ଜାରି ରହିଥିବା ବେଳେ ହୀରାକୁଦ ଜଳଭଣ୍ଡାରର ୭ଟି ଗେଟ୍ ଖୋଲା ରହିଛି । ଏବେ ହୀରାକୁଦରୁ ପ୍ରାୟ ୧ ଲକ୍ଷ ୪୫ ହଜାର କ୍ୟୁସେକ୍ ଜଳ ନିଷ୍କାସନ ହେଉଛି । ତେବେ ଯାଜପୁର ଓ ଭଦ୍ରକ ସମେତ କେତେକ ଅଞ୍ଚଳରେ ଏବେ ବି ଜଳବନ୍ଦୀ ସ୍ଥିତି ରହିଛି । ଏହି ଅଞ୍ଚଳଗୁଡ଼ିକରେ ଜଳ ନିଷ୍କାସନ ଓ ନଦୀବନ୍ଧ ମରାମତି କାମ ଉପରେ ନଜର ରଖାଯାଇଛି ।

Leave a Reply

Your email address will not be published. Required fields are marked *