ନୂଆଦିଲ୍ଲୀ,୨୦/୦୮: ଝାଡ଼ଖଣ୍ଡରେ ନିଯୁକ୍ତି ପରୀକ୍ଷାକୁ ନେଇ ଆସିଛି ବଡ଼ ଖବର । ୨୨ଟି ନିଯୁକ୍ତି ପରୀକ୍ଷା ବାତିଲ କରିବାକୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି ଉପରେ ରୋକ୍ ଲଗାଇଛନ୍ତି ଝାଡ଼ଖଣ୍ଡ ହାଇକୋର୍ଟ । ଆଜି ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ହଜାର ହଜାର ପ୍ରାର୍ଥୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଝାଡ଼ଖଣ୍ଡ ସରକାର ଜେପିଏସ୍ସି ଏବଂ ଜେଏସ୍ଏସ୍ସି ଦ୍ୱାରା ଆୟୋଜିତ ଏବଂ ଟିଡିପିଏଲ୍ ମାଧ୍ୟମରେ ପରିଚାଳିତ ହୋଇଥିବା ୨୨ଟି ନିଯୁକ୍ତି ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ । ପରୀକ୍ଷାରେ ଅନିୟମିତତା ନେଇ ଅଭିଯୋଗ ଏବଂ ସିଆଇଡି ତଦନ୍ତ ସମୟରେ ସାମ୍ନାକୁ ଆସିଥିବା ତଥ୍ୟକୁ ଆଧାର କରି ସରକାର ଏହି ପଦକ୍ଷେପ ନେଇଥିବା କହିଥିଲେ ।
ବାତିଲ ହୋଇଥିବା ପରୀକ୍ଷା ମଧ୍ୟରେ ଡ୍ରଗ୍ସ ଇନ୍ସପେକ୍ଟର, ସହକାରୀ ପ୍ରଫେସର, ଡେପୁଟି କଲେକ୍ଟର, ଡେଣ୍ଟାଲ ଡାକ୍ତର ଏବଂ ସହକାରୀ ଇଞ୍ଜିନିୟର ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀର ନିଯୁକ୍ତି ପରୀକ୍ଷା ରହିଛି । ଏହା ସହ ଜେପିଏସ୍ସିର ୧୧ତମରୁ ୧୩ତମ କମ୍ବାଇନ୍ ସିଭିଲ୍ ସର୍ଭିସେସ୍ ପରୀକ୍ଷା ଏବଂ ଜେଏସ୍ଏସ୍ସି-ସିଜିଏଲ୍ ପରୀକ୍ଷା ମଧ୍ୟ ଏହି ବିବାଦର ଅଂଶ ହୋଇଛି ।ସରକାରଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ୪ଟି ଆବେଦନ ଦାଖଲ ହୋଇଥିଲା ।