ପୁଣି ସକ୍ରିୟ ହେଲା ମୌସୁମୀ ବାୟୁ, ଏହି ସବୁ ରାଜ୍ୟରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର,୨୦/୦୮: ପୁଣି ସକ୍ରିୟ ହେଲା ମୌସୁମୀ ବାୟୁ । ଉତ୍ତରରୁ ମଧ୍ୟ ଭାରତ ଯାଏଁ ବର୍ଷାର ବଡ଼ ଆଲର୍ଟ । ଉତ୍ତର ଝାଡ଼ଖଣ୍ଡ ଓ ଆଖପାଖ ଅଞ୍ଚଳରେ ଥିବା ଲଘୁଚାପ କ୍ଷେତ୍ର ଏବେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି । ଏହାର ପ୍ରଭାବରେ ଉତ୍ତର ଓ ମଧ୍ୟ ଭାରତର ଅନେକ ଅଞ୍ଚଳରେ ଆଗାମୀ କିଛି ଦିନ ବର୍ଷା ଜାରି ରହିବ । ମୌସୁମୀ ଟ୍ରଫ୍‌ ମଧ୍ୟ ସକ୍ରିୟ ରହିଥିବାରୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ ସମେତ ଅନେକ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । ବିଶେଷ କରି ପୂର୍ବ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶର କିଛି ସ୍ଥାନରେ ଭାରୀରୁ ଅତି ଭାରୀ ବର୍ଷାର ଆଶଙ୍କା ରହିଛି । ଦିଲ୍ଲୀ-NCRରେ ମଧ୍ୟ ବଦଳିଛି ପାଗ । ଦିଲ୍ଲୀ, ନୋଏଡା, ଗାଜିଆବାଦ ଓ ଗୁରୁଗ୍ରାମ ଅଞ୍ଚଳରେ ଆଜି ବର୍ଷା ଦେଖିବାକୁ ମିଳିଛି । ତେବେ ଦିଲ୍ଲୀ-NCRରେ ବର୍ଷାର ପ୍ରଭାବ ଅନ୍ୟ କେତେକ ରାଜ୍ୟ ତୁଳନାରେ କମ୍ ରହିବାର ପୂର୍ବାନୁମାନ ରହିଛି । ପାହାଡ଼ିଆ ରାଜ୍ୟଗୁଡ଼ିକରେ ମଧ୍ୟ ବର୍ଷାକୁ ନେଇ ସତର୍କତା ଜାରି ହୋଇଛି । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଜମ୍ମୁ-କାଶ୍ମୀରର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସହ ଭୂସ୍ଖଳନ ଆଶଙ୍କା ରହିଛି । ତେଣୁ ପାହାଡ଼ିଆ ଅଞ୍ଚଳରେ ଯାତାୟାତ କରୁଥିବା ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି । ଓଡ଼ିଶାରେ ମଧ୍ୟ ଆସନ୍ତା ୨୧ରୁ ୨୫ ଅଗଷ୍ଟ ମଧ୍ୟରେ ବିସ୍ତୃତ ବର୍ଷାର ପୂର୍ବାନୁମାନ ଦିଆଯାଇଛି । ତେଣୁ ଲଘୁଚାପ ଓ ସକ୍ରିୟ ମୌସୁମୀ ଟ୍ରଫ୍‌ର ପ୍ରଭାବରେ ଆଗାମୀ କିଛି ଦିନ ଦେଶର ବିଭିନ୍ନ ଅଞ୍ଚଳରେ ବର୍ଷାର ପ୍ରକୋପ ବଢ଼ିପାରେ । ପ୍ରବଳ ବର୍ଷା ସମୟରେ ନଦୀନାଳର ଜଳସ୍ତର ବଢ଼ିବା, ତଳିଆ ଅଞ୍ଚଳରେ ଜଳବନ୍ଦୀ ଓ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଭଳି ସମସ୍ୟା ଦେଖାଦେଇପାରେ ।

Leave a Reply

Your email address will not be published. Required fields are marked *