ଭୁବନେଶ୍ୱର,୧୭/୦୮: ବନ୍ୟାଞ୍ଚଳରେ ପହଞ୍ଚି ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅପହଞ୍ଚ ଗାଁରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଛନ୍ତି । ଯାଜପୁର ଜିଲ୍ଲାର ସବୁଠୁ ଅଧିକ ପ୍ରଭାବିତ ଦଶରଥପୁରର ପତିରି ଘାଟରୁ ବୋଟ୍ ଯୋଗେ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ ସହ ରାଜସ୍ୱ ମନ୍ତ୍ରୀ, ସମବାୟ ମନ୍ତ୍ରୀ, କ୍ରୀଡ଼ା ମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତି ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱତନ୍ତ୍ର ବୋଟ୍ରେ କସପା ଓ ତରପଡ଼ା ପଞ୍ଚାୟତର ବନ୍ୟା ପ୍ରଭାବିତ ଗାଁଗୁଡ଼ିକୁ ଯାଇ ରାମଚନ୍ଦ୍ରପୁର, ବାଲଦା ଓ ଦୋଭାବିଲ ଗାଁର ଲୋକଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପ୍ରାଥମିକତା ଭିତ୍ତିରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍, ଉଦ୍ଧାରକାର୍ଯ୍ୟ ଓ ସ୍ୱାସ୍ଥ୍ୟସେବାକୁ ତ୍ୱରାନ୍ୱିତ କରାଯାଉଛି । ଏହାସହ ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଠାରେ ପ୍ରସ୍ତୁତ ରନ୍ଧାଖାଦ୍ୟର ମାନ ମଧ୍ୟ ପରଖିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଲଗାତାର ବନ୍ୟାରେ ଉତ୍ତର ଓଡ଼ିଶାର ଲୋକଙ୍କ ଦୁର୍ଦ୍ଦଶା କେବେ ଦୂର ହେବ, ସେହି ଆଶାରେ ରହିଛନ୍ତି ବନ୍ୟା ବିପନ୍ନ ।