ଭୁବନେଶ୍ୱର,୧୩/୦୮: ରାଜ୍ୟସ୍ତରୀୟ ହର୍ଟିକଲଚର (ଉଦ୍ୟାନକୃଷି) ଅଫିସର ସମ୍ମିଳନୀରେ ଅଧିକାରୀମାନଙ୍କ କାର୍ଯ୍ୟଶୈଳୀକୁ ନେଇ ପ୍ରବଳ ବର୍ଷିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । କୃଷି ଭବନରେ ଆୟୋଜିତ ଏହି ସମ୍ମିଳନୀରେ ଅଧିକାରୀମାନଙ୍କ ବେପରୁଆ ମନୋଭାବ ଓ କାର୍ଯ୍ୟପ୍ରଣାଳୀକୁ ନେଇ ସେ କଡ଼ା ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଉଦ୍ୟାନକୃଷି ସମ୍ପର୍କିତ ବିଭିନ୍ନ ଅଧ୍ୟୟନ ଓ ପ୍ରଶିକ୍ଷଣ ପାଇଁ ଦେଶ ତଥା ବିଦେଶ ଗସ୍ତରେ ଯାଉଥିବା ଅଧିକାରୀମାନେ ଫେରିବା ପରେ କୌଣସି ରିପୋର୍ଟ ଦାଖଲ କରୁନଥିବାରୁ ମନ୍ତ୍ରୀ ବିରକ୍ତି ପ୍ରକାଶ କରିଥିଲେ। ସରକାରଙ୍କୁ ଅନ୍ଧାରରେ ରଖନ୍ତୁ ନାହିଁ, ସମ୍ପୂର୍ଣ୍ଣ ରିପୋର୍ଟ ପ୍ରଦାନ କରନ୍ତୁ । ରାଜ୍ୟ ସରକାର କୌଣସି ରବର ଷ୍ଟାମ୍ପ ନୁହନ୍ତି କି ମୁଁ ମଧ୍ୟ ରବର ଷ୍ଟାମ୍ପ ନୁହେଁ। ତୁମେ ସରକାର ଚଳାଉନାହଁ, ଆମେ ସରକାର ଚଳାଉଛୁ । ଯିଏ ନିୟମ ମାନିବ ନାହିଁ, ସେ ସିଧା ଘରକୁ ପଳାଇବେ ।’ ରାଜ୍ୟରେ ୫୮ଟି କୋଲ୍ଡ ଷ୍ଟୋରେଜ୍ ନିର୍ମାଣ ପାଇଁ ପୂର୍ବରୁ ଘୋଷଣା କରାଯାଇଥିଲା। ତେବେ ସମ୍ମିଳନୀରେ ବର୍ତ୍ତମାନ ସୁଦ୍ଧା ମାତ୍ର ପୁରୀଠାରେ ଗୋଟିଏ କୋଲ୍ଡ ଷ୍ଟୋରେଜ୍ ନିର୍ମାଣ ହେବାକୁ ଯାଉଥିବା ନେଇ ଅଧିକାରୀମାନେ ସୂଚନା ଦେବା ପରେ ମନ୍ତ୍ରୀ ଅଧିକ ରାଗି ଯାଇଥିଲେ ଏବଂ କାର୍ଯ୍ୟର ମନ୍ଥର ଗତିକୁ ନେଇ କଡ଼ା ଶବ୍ଦରେ ତାଗିଦ୍ କରିଥିଲେ ।