ଆଜି ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ଭୁବନେଶ୍ୱର,୧୨/୦୮: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଚିତାଲାଗି ଅମାବାସ୍ୟା । ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପ୍ରତିବର୍ଷ ଏହି ପାରମ୍ପରିକ ନୀତି ଅନୁଷ୍ଠିତ ହୋଇଥାଏ । ଏହି ଅବସରରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମସ୍ତକରେ ଲାଗି ହେବ ରତ୍ନଚିତା । ଏହି ଗୁପ୍ତ ନୀତି ଥିବାରୁ ସାଧାରଣ ଦର୍ଶନ ଉପରେ ରହିବ କଟକଣା । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ ଦଇତାପତି ସେବାୟତ ଓ ପତିମହାପାତ୍ର ସେବାୟତମାନେ ଚିତାଲାଗି ନୀତି ସମ୍ପନ୍ନ କରିବେ । ପ୍ରଥମ ଭୋଗମଣ୍ଡପ ଉଠିବା ପରେ ଆରମ୍ଭ ହେବ ଏହି ବିଶେଷ ଗୁପ୍ତ ସେବା । ପରମ୍ପରା ଅନୁଯାୟୀ, ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥ ହୀରା ଖଚିତ ଚିତା, ବଡ଼ଠାକୁର ବଳଭଦ୍ର ନୀଳା ଖଚିତ ଚିତା ଏବଂ ଦେବୀ ସୁଭଦ୍ରା ମାଣିକ୍ୟ ଖଚିତ ଚିତା ଧାରଣ କରିବେ । ଶ୍ରୀଜିଉଙ୍କ ମସ୍ତକରେ ଏହି ଅମୂଲ୍ୟ ରତ୍ନଚିତା ସଜିବା ପରେ ତିନିଠାକୁରଙ୍କ ରୂପ ଆହୁରି ମନୋହର ଓ ଦିବ୍ୟ ଦେଖାଯିବ । ତେବେ ଚିତାଲାଗି ନୀତି ସମ୍ପୂର୍ଣ୍ଣ ଗୁପ୍ତ ଭାବେ ପାଳିତ ହୋଇଥାଏ । ଏହି କାରଣରୁ ଆଜି ଅପରାହ୍ନ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପ୍ରାୟ ୫ ଘଣ୍ଟା ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।

Leave a Reply

Your email address will not be published. Required fields are marked *