ରାଜଧାନୀରେ ଭୂତ ବଙ୍ଗଳା ଭାବେ ପରିଚିତ ଏକ ପରିତ୍ୟକ୍ତ କୋଠାରେ ହତ୍ୟାକାଣ୍ଡ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୦୮/୦୮: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ଭୂତ ବଙ୍ଗଳା ଭାବେ ପରିଚିତ ଏକ ପରିତ୍ୟକ୍ତ କୋଠାରେ ଘଟିଛି ହତ୍ୟାକାଣ୍ଡ। ଚନ୍ଦକା ଥାନା ପାଇକରାପୁର ଅଞ୍ଚଳର ଏହି ଘଟଣାରେ ମହନୀ ଦାସଙ୍କ ମୃତ୍ୟୁ ହୋଇଛି। ହତ୍ୟା ଅଭିଯୋଗରେ ବ୍ରଜକିଶୋର ଭୋଇ ଓରଫ ବାପିକୁ ଗିରଫ କରି କୋର୍ଟ ଚାଲାଣ କରିଛି ଚନ୍ଦକା ଥାନା ପୁଲିସ। ସାମାନ୍ୟ ଶୋଇବାକୁ ନେଇ ବଚସାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଚନ୍ଦକା ଥାନା ଅଞ୍ଚଳର ପାଇକରାପୁରରେ ଗତ ୧ ତାରିଖରେ ଘଟିଥିଲା ଏହି ବୀଭତ୍ସ ହତ୍ୟାକାଣ୍ଡ। ମହନୀ ଦାସଙ୍କୁ ବାଉଁଶ ଠେଙ୍ଗାରେ ମୁଣ୍ଡକୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ପତ୍ନୀଙ୍କ ଅଭିଯୋଗ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ପରେ ଖୋଲିଥିଲା ଏହି ‘ଭୂତ ବଙ୍ଗଳା’ର ମର୍ଡର ମିଷ୍ଟ୍ରି।” ସାମାନ୍ୟ ଶୋଇବାକୁ କେନ୍ଦ୍ରକରି ଅଭିଯୁକ୍ତ ବ୍ରଜକିଶୋର ଭୋଇ ଓରଫ ବାପିଙ୍କ ସହ ମହନୀଙ୍କର ଯୁକ୍ତିତର୍କ ହୋଇଥିଲା। ବାପି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଏକ ବାଉଁଶ ଠେଙ୍ଗାରେ ମହନୀଙ୍କ ମୁଣ୍ଡକୁ ପିଟିଥିଲା।  ହତ୍ୟା ପରେ ଘଟଣାକୁ ଦୁର୍ଘଟଣାର ରୂପ ଦେବାକୁ  ମହନୀ ଛାତରୁ ଖସି ପଡ଼ିଥିବାର ମିଥ୍ୟା କାହାଣୀ କହି ତାଙ୍କୁ ହସ୍ପିଟାଲ ନେଇଥିଲା ବାପି। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *