ଭୁବନେଶ୍ୱର,୦୭/୦୮: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଜାରି ରହିଥିବା ବିବାଦ ଏପର୍ୟ୍ୟନ୍ତ ତୁଟିନାହିଁ । କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଏବଂ ବିଶ୍ୱବିଦ୍ୟାଳୟର ଶିକ୍ଷକ ସଂଘ ମଧ୍ୟରେ ସୃଷ୍ଟି ହୋଇଥିବା ମତଭେଦ ଯୋଗୁଁ କ୍ୟାମ୍ପସରେ ଅଚଳାବସ୍ଥା ଲାଗି ରହିଛି। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏକ ଚିଠିରେ ବିଶ୍ୱବିଦ୍ୟାଳୟ ସିନେଟ୍ ସଦସ୍ୟ ଭାବେ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନାମ ଥିବାକୁ ନେଇ ଏହି ବିବାଦ ଆହୁରି ତୀବ୍ର ହୋଇଛି।ଏହି ବିବାଦର ମୂଳ ଇଷ୍ଟ ହଷ୍ଟେଲର ଅନ୍ତେବାସୀମାନଙ୍କ ପ୍ରତିବାଦ ଓ ଅନଶନରୁ ଆରମ୍ଭ ହୋଇଥିବା କୁହାଯାଉଛି। ପରେ ଘଟଣାଟି ବିଶ୍ୱବିଦ୍ୟାଳୟ ପ୍ରଶାସନ, ଶିକ୍ଷକ ସଂଘ ଏବଂ ବିଧାୟକଙ୍କ ମଧ୍ୟରେ ବିବାଦର ରୂପ ନେଇଥିଲା। ଏହି ପ୍ରସଙ୍ଗରେ ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଘଟଣାକୁ ନେଇ କୁଳାଧିପତି ଏବଂ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟ ସହ ଯୋଗାଯୋଗ କରାଯାଇଛି। ସମସ୍ୟାର ସମାଧାନ ପାଇଁ ସେ ବ୍ୟକ୍ତିଗତ ଭାବେ ଶିକ୍ଷକ ସଂଘ ଓ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ସହ ଆଲୋଚନା କରିଛନ୍ତି। ତେବେ ଏପର୍ୟ୍ୟନ୍ତ କୌଣସି ସହମତି ହୋଇପାରିନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । କୁଳପତି ଆହୁରି କହିଛନ୍ତି ଯେ, ବିବାଦ ଚାଲିଥିଲେ ମଧ୍ୟ ଏହାର ପ୍ରଭାବ ଏପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା କିମ୍ବା ହଷ୍ଟେଲ ପରିଚାଳନା ଉପରେ ପଡ଼ିନାହିଁ। ବିଶ୍ୱବିଦ୍ୟାଳୟର ସମସ୍ତ ଶିକ୍ଷାଗତ ଓ ପ୍ରଶାସନିକ କାର୍ୟ୍ୟ ସ୍ୱାଭାବିକ ଭାବେ ଚାଲିଥିବା ସେ କହିଛନ୍ତି।