ଭୁବନେଶ୍ୱର,୦୬/୦୮: ରାଜ୍ୟରେ ପୁଣି ସକ୍ରିୟ ହୋଇଛି ବର୍ଷା । ପ୍ରବଳ ବର୍ଷା ଆଶଙ୍କାକୁ ନଜରରେ ରଖି ଆଜି ସାରା ଓଡ଼ିଶା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ଆଜି ସକାଳ ସାଢେ ୮ଟା ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଅନ୍ୟ ୨୯ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି । ସେହିପରି ଆଜି ସକାଳ ସାଢେ ୮ଟାରୁ ଆସନ୍ତାକାଲି ସକାଳ ସାଢେ ୮ଟା ପର୍ଯ୍ୟନ୍ତ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହା ସହ ଅନ୍ୟ ସମସ୍ତ ଜିଲ୍ଲାକୁ ମଧ୍ୟ ସତର୍କ କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ଲଗାଣ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ସକାଳ ସାଢେ ୫ଟା ସୁଦ୍ଧା ଭୁବନେଶ୍ୱରରେ ୯୭.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି । ପ୍ରବଳ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି ଜମିଥିବା ବେଳେ କିଛି ଅଞ୍ଚଳରେ ଲୋକଙ୍କ ଘର ଭିତରକୁ ମଧ୍ୟ ପାଣି ପଶିଛି । ଖଲ୍ଲିକୋଟ, ଖୋର୍ଦ୍ଧା ଓ ନୀଳଗିରି ଅଞ୍ଚଳରେ ମଧ୍ୟ ବର୍ଷା ପରେ ସମାନ ପରିସ୍ଥିତି ଲାଗି ରହିଛି । ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି ।