ଭୁବନେଶ୍ୱର, ୦୪/୦୮: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରେଳପଥରେ ଗଞ୍ଜାମ ଜିଲ୍ଲା ଗସ୍ତ କରିଥିଲେ। ଭୁବନେଶ୍ୱର ରେଳଷ୍ଟେସନରେ ପ୍ରସ୍ତୁତ ଥିଲା ଏହି ସ୍ୱତନ୍ତ୍ର ଟ୍ରେନ୍- ପ୍ରେସିଡେଣ୍ଟ୍ ସ୍ପେଶାଲ୍ । ସେଠାରୁ ସିଧାସଳଖ ବ୍ରହ୍ମପୁର ଯାଇଥିଲେ ରାଷ୍ଟ୍ରପତି । ବ୍ରହ୍ମପୁରରେ ପହଂଚିବା ପରେ ପ୍ରଥମେ ମହାମାୟୀ ମହିଳା ଡିଗ୍ରି କଲେଜରେ ଅଟକି ଛାତ୍ରୀମାନଙ୍କୁ ଚକଲେଟ୍ ବାଣ୍ଟିଥିଲେ । ଏହାପରେ ତପ୍ତପାଣି ଯାଇଥିଲେ। ସେଠାରେ ରାଷ୍ଟ୍ରପତି ପହଞ୍ଚିବା ପରେ ପାରମ୍ପାରିକ ବାଦ୍ୟ ଓ ଆଦିବାସୀ ନୃତ୍ୟରେ ସ୍ୱାଗତ କରାଯାଇଥିଲା। ସେ ମାଆ କନ୍ଧୁଣିଦେବୀଙ୍କ ଦର୍ଶନ କରିଥିଲେ ।
ରାଷ୍ଟ୍ରପତି ନୁହେଁ, ବରଂ ଜଣେ ଆଦିବାସୀ ମହିଳା ଭାବେ ଏହି ଶକ୍ତିପୀଠରେ କରିଥିଲେ ପୂଜାର୍ଚ୍ଚନା । ଫେରିବା ବାଟରେ ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ହାତରୁ ଗୋଲାପ ଗୁଚ୍ଛ ନେବା ସହ ସେମାନଙ୍କ ଗହଣରେ ବିତାଇଥିଲେ କିଛି ମୁହୂର୍ତ୍ତ । ଏହି ଗସ୍ତରେ ସାମିଲ ହୋଇଥିଲେ ରାଜ୍ୟପାଳ ହରିବାବୁ କୁମ୍ଭମପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରମୁଖ । ତପ୍ତପାଣିରୁ ଫେରି ଗୋଳାବନ୍ଧ ଆର୍ମି ଏଡି କଲେଜରେ ରାତ୍ରିଯାପନ କରିଛନ୍ତି ରାଷ୍ଟ୍ରପତି । ଆସନ୍ତାକାଲି ପୁଣି ବ୍ରହ୍ମପୁରରୁ ଟ୍ରେନ ଯୋଗେ ଭୁବନେଶ୍ୱର ଫେରିବେ।