ନୂଆଦିଲ୍ଲୀ,୦୨/୦୮: କେରଳରେ ହୋଇଥିବା ପ୍ରବଳ ବର୍ଷା, ଭୂସ୍ଖଳନ ଏବଂ ଜଳବନ୍ଦି ସମସ୍ୟା ଯୋଗୁଁ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଛି । ଏହା ସହିତ ୮ ଜଣ ବ୍ୟକ୍ତି ଏବେ ମଧ୍ୟ ନିଖୋଜ ଅଛନ୍ତି ଏବଂ ୧୩ ଜଣ ଆହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଭି ଡି ସତୀଶନ ଏକ ବିବୃତିରେ କହିଛନ୍ତି ଯେ ରାଜ୍ୟରେ ବ୍ୟାପକ ସମ୍ପତ୍ତି ନଷ୍ଟ ହେବା ସହ ୨୭ଟି ଘର ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଛି ଏବଂ ୧୯୬ଟି ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି ।ବର୍ତ୍ତମାନ ସୁଦ୍ଧା ପ୍ରଭାବିତ ଅଞ୍ଚଳରୁ ୫,୭୯୨ ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ରାଜ୍ୟ ସାରା ଖୋଲାଯାଇଥିବା ୨୦୯ଟି ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି। ସରକାର ମୃତକଙ୍କ ପରିବାର ଏବଂ ବାସଗୃହ ତଥା ଜୀବିକା ହରାଇଥିବା ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।