ଭୁବନେଶ୍ୱର,୧/୦୮: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗୀନ । ଏହାରିମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳର ପରିଦର୍ଶନ କରିଛନ୍ତି । ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାର ବନ୍ୟା ପରିସ୍ଥିତିକୁ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ହେଲିକପ୍ଟର ଯୋଗେ ବନ୍ୟା ପ୍ରଭାବିତ କେନ୍ଦୁଝର, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ପଞ୍ଚାୟତ ଉପରେ ବୁଲି ସ୍ଥିତି ପରଖିଛନ୍ତି । କେଉଁଠି କେତେ ପରିମାଣରେ ଜଳବନ୍ଦୀ ସମସ୍ୟା ରହିଛି ଏବଂ କେଉଁ ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଛି, ସେନେଇ ସେ ସୂଚନା ନେଇଛନ୍ତି । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ SRC ମଧ୍ୟ ଉପସ୍ଥିତ ରହି ବନ୍ୟାଞ୍ଚଳର ବୈଷୟିକ ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ବନ୍ୟା ପ୍ଲାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ କିପରି ଚାଲିଛି, ସେ ନେଇ ମଧ୍ୟ ଆଲୋଚନା କରାଯାଇଛି । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିବେ ।