ଭୁବନେଶ୍ୱର,୨୯/୦୭: ଜାପାନରୁ ଆସିଥିବା ଉଚ୍ଚସ୍ତରୀୟ ଶିଳ୍ପ ପ୍ରତିନିଧି ଦଳ ସହ ରାଜ୍ୟ ସରକାରଙ୍କ ଆଲୋଚନା ଜାରି ରହିଛି । ମୁଖ୍ୟ ଶାସନ ସଚିବ, ଶିଳ୍ପ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଜାପାନୀ କମ୍ପାନୀଙ୍କ ନିବେଶ ନେଇ ଆଲୋଚନା ହୋଇଛି । ପାରାଦୀପ ଏବଂ ଗୋପାଳପୁରରେ ଗ୍ରୀନ୍ ଆମୋନିଆ ଓ ମିଥାନୋଲ୍ ପ୍ରକଳ୍ପ ପାଇଁ ଜାପାନର IHI କର୍ପୋରେସନ୍ ଏବଂ ACME ଗ୍ରୁପ୍ ସହ ୬୭ ହଜାର କୋଟି ଟଙ୍କାର ଏକ ବଡ଼ ଚୁକ୍ତିନାମା ହୋଇଛି । ଏହି ପ୍ରକଳ୍ପ ଓଡ଼ିଶାକୁ ସବୁଜ ଶକ୍ତିର ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ି ତୋଳିବାରେ ସହାୟକ ହେବ । ଜାପାନୀ ଶିଳ୍ପ ପାଇଁ ଭୁବନେଶ୍ୱର ନିକଟରେ ପ୍ରାୟ ୬୬୫ ଏକର ଜମି ଚିହ୍ନଟ କରିଛନ୍ତି ରାଜ୍ୟ ସରକାର । ଏହା ମାଧ୍ୟମରେ ନୂଆ ଶିଳ୍ପ ସ୍ଥାପନ ସହ ରୋଜଗାରର ସୁଯୋଗ ବଢ଼ିବ ବୋଲି ଆଶା କରାଯାଉଛି । କେବଳ ନିବେଶ ନୁହେଁ, ମାନବ ସମ୍ବଳ ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଜାପାନୀ ଶିଳ୍ପର ଆବଶ୍ୟକତା ଅନୁସାରେ ଯୁବପିଢ଼ିଙ୍କୁ ଦକ୍ଷ କରିବା ପାଇଁ ସ୍କିଲ୍ ଡେଭଲପମେଣ୍ଟ ଓ ନିଯୁକ୍ତି କାର୍ଯ୍ୟକ୍ରମ ଉପରେ ଫୋକସ୍ ରହିଛି । ଓଡ଼ିଶା ଓ ଟୋଟୋରି ମଧ୍ୟରେ ଏହି ସିଷ୍ଟର-ଷ୍ଟେଟ୍ ଭାଗୀଦାରୀ ଆଗାମୀ ଦିନରେ ବାଣିଜ୍ୟ, ପ୍ରଯୁକ୍ତି ଓ ଶିଳ୍ପ ବିକାଶର ନୂଆ ଅଧ୍ୟାୟ ଖୋଲିବ ବୋଲି ଆଶା କରାଯାଉଛି ।