ନୂଆଦିଲ୍ଲୀ,୧୭/୦୭: କେନ୍ଦ୍ର ସରକାର ଆଜି ୧୯୯୪ ବ୍ୟାଚ ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀ ଅନୁରାଗ କୁମାରଙ୍କୁ ଦିଲ୍ଲୀ ପୁଲିସର କମିସନର ଭାବେ ନିଯୁକ୍ତ କରିଛି। ବର୍ତ୍ତମାନ ଦିଲ୍ଲୀ ପୁଲିସର ମୁଖ୍ୟ ଥିବା ସତୀଶ ଗୋଲଛାଙ୍କୁ ଅବସର ଗ୍ରହଣର ନଅ ମାସ ପୂର୍ବରୁ ବଦଳି କରାଯାଇଛି। ଶୁକ୍ରବାର ସକାଳେ ଭାରତ ସରକାରଙ୍କ ଅଧୀନ ସଚିବ ରାକେଶ କୁମାର ସିଂହଙ୍କ ଦ୍ୱାରା ଜାରି ଏକ ନିର୍ଦ୍ଦେଶରେ କୁହାଯାଇଛି ଯେ, ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (ଏଜିଏମ୍ୟୁଟି) କ୍ୟାଡରର ୧୯୯୪ ବ୍ୟାଚ୍ ଆଇପିଏସ୍ ଅଧିକାରୀ ଅନୁରାଗ କୁମାରଙ୍କୁ ଦିଲ୍ଲୀ ପୁଲିସ କମିସନର ଭାବେ ନିଯୁକ୍ତ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତାଙ୍କୁ ଦିଲ୍ଲୀ ପୁଲିସ କମିସନର ଭାବରେ ନିଯୁକ୍ତ କରାଯାଇଛି। ୧୯୯୨ ବ୍ୟାଚ ଆଇପିଏସ୍ ଅଧିକାରୀ ସତୀଶ ଗୋଲଚ୍ଛାଙ୍କୁ ନୂତନ ନିଯୁକ୍ତି ପାଇଁ ଦିଲ୍ଲୀ ଉପରାଜ୍ୟପାଳ ତରନଜିତ୍ ସିଂହ ସାନ୍ଧୁଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ଦିଲ୍ଲୀ ପୁଲିସ କମିସନର ନିଯୁକ୍ତ ହେବା ପୂର୍ବରୁ ଅନୁରାଗ କୁମାର ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ।