ଭୁବନେଶ୍ୱର,୦୯/୦୭: ଆଜି ମହାପ୍ରଭୁଙ୍କ ଅଣସର ଦଶମୀ । ଚକାବିଜେ କରିବେ ଶ୍ରୀଜୀଉ । ଅଣସର ତାଟି ଭିତରେ ଦଇତାପତି ସେବାୟତଙ୍କ ଗୁପ୍ତ ଉପଚାର ପରେ ଶ୍ରୀବିଗ୍ରହଙ୍କ ଶରୀରରୁ ତାତି ଓହ୍ଲାଇଥିବା ବେଳେ ଆଜି ଶୟନ ଅବସ୍ଥାରୁ ଉଠି ଚକା ଉପରେ ବିଜେ କରିବେ ମହାପ୍ରଭୁ । ଅନ୍ୟପଟେ ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳମୋଦକ ଆଜି ପ୍ରସ୍ତୁତ କରାଯାଇ ଶ୍ରୀମନ୍ଦିର ଗାରଦରେ ଜିମା ଦେବେ ବଇଦ ରାଜ । ଆସନ୍ତା କାଲି ମହାପ୍ରଭୁ ଦଶମୂଳମୋଦକ ସେବନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ । ତେବେ ଅଣସର ପଞ୍ଚମୀ ତିଥିରେ ଫୁଲୁରୀ ତେଲ ଓ ତା ପରଦିନ ଠାରୁ ଚାରି ଦିନ ଧରି ଓଷ ଲାଗି ପରେ ଆଜି ଦଶମୀ ତିଥିରେ ଚକାବିଜେ ହେବେ। ତେବେ ସ୍ନାନପୂର୍ଣ୍ଣିମା ଦିନ ପ୍ରତ୍ୟେକ୍ଷ ସ୍ନାନ କରି ଅସୁସ୍ଥ ହୋଇପଡିଥିବା ଶ୍ରୀବିଗ୍ରହ ଏବେ ଦଇତାପତିଙ୍କ ଗୁପ୍ତ ଉପଚାର ପରେ ଧୀରେ ଧୀରେ ସୁସ୍ଥ ହୋଇ ଶୋଇବା ଅବସ୍ଥାରୁ ଉଠି ବସିବେ ମହାପ୍ରଭୁ । ଶ୍ରୀଜିଉମାନଙ୍କୁ ଚକା ଉପରେ ଦଇତାପତି ମାନେ ଚକା ବିଜେ କରାଇବେ । ଏହାପରେ ଚକଟା ଓ ପଣା ଭୋଗ ଲାଗି କରାଯାଇ ଦଶମୀ ନୀତିକୁ ସମ୍ପର୍ଣ୍ଣ କରାଯିବ ।