୧୦ ଦଫା ଦାବି ନେଇ ଡାକ୍ତର ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ସ୍ଥଗିତ

ଭୁବନେଶ୍ୱର,୦୪/୦୭: ୧୦ ଦଫା ଦାବି ନେଇ ଗତ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଡାକ୍ତର ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ସ୍ଥଗିତ ହୋଇଛି। ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହିତ ପ୍ରାୟ ସାଢ଼େ ୩ ଘଣ୍ଟା ଆଲୋଚନା କଲା ପରେ ଡାକ୍ତରମାନେ ଆନ୍ଦୋଳନ ସ୍ଥଗିତ ନିଷ୍ପତ୍ତି ନେଇଛନ୍ତି। ଆଜି ଠାରୁ ଡାକ୍ତରମାନେ ନିଜ କର୍ମକ୍ଷେତ୍ରରେ ଯୋଗ ଦେବେ। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ନେଇ ଓମ୍‌ସା ପକ୍ଷରୁ ମଧ୍ୟ କୁହାଯାଇଛି ଯେ, ଆଲୋଚନା ପରେ ଡାକ୍ତର ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ଆଲୋଚନା ସମୟରେ ଓମ୍‌ସାର ଦାବି ନେଇ ଉଚ୍ଚସ୍ତରୀୟ କମିଟି ଗଠନ ନିଷ୍ପତ୍ତି ହୋଇଛି। କମିଟିରେ ସ୍ବାସ୍ଥ୍ୟ, ଜିଏ, ଅର୍ଥ, ଆଇନ ସଚିବ ସ୍ଥାନିତ ହୋଇଛନ୍ତି। ଆସନ୍ତା ୨୨ ତାରିଖରେ କମିଟିର ପ୍ରଥମ ବୈଠକ ବସିବ। ସୂଚନାଯୋଗ୍ୟ, ବିଭିନ୍ନ ପ୍ରସଙ୍ଗ ଉପରେ ଦାବି କରି ଡାକ୍ତରମାନେ ଗତ ୧ ତାରିଖ ଠାରୁ ଆନ୍ଦୋଳନ ଆରମ୍ଭ କରିଥିଲେ।