ଭୁବନେଶ୍ୱର,୨୦/୦୬: ଆସନ୍ତାକାଲି ନିଟ୍ ୟୁଜିର ପୁନଃପରୀକ୍ଷା । ଏହି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାର ସୁପରିଚାଳନା ପାଇଁ ସରକାରୀ ସ୍ତରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । କଡ଼ା ସୁରକ୍ଷାରେ ରହିଛି ପରୀକ୍ଷା କେନ୍ଦ୍ରଗୁଡିକ । ଆଜି ସମସ୍ତ ପରୀକ୍ଷା କେନ୍ଦ୍ରରେ ମକଡ୍ରିଲ ହୋଇଛି । ରାଜ୍ୟରେ ପ୍ରାୟ ୫୭ହଜାର ପରୀକ୍ଷାର୍ଥୀ ଥିବାବେଳେ କେବଳ ଭୁବନେଶ୍ୱରରେ ୧୦ ହଜାରରୁ ଅଧିକ ପରୀକ୍ଷାର୍ଥୀ ରହିଛନ୍ତି ।ଏଥର ନିଟ୍-ୟୁଜି ପରୀକ୍ଷାରେ ଯେଭଳି କୌଣସି ତ୍ରୁଟି ନରୁହେ ସେ ଦିଗରେ କଡା ନଜର ରଖିଛି ଏନଟିଏ । ପରୀକ୍ଷା କେନ୍ଦ୍ରରେ ଏନଟିଏ ପକ୍ଷରୁ ନିଜସ୍ୱ ସିସିଟିଭି ଏବଂ ଜାମର ଲାଗିଛି । ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ସେସବୁର ତଦାରଖ କରିଛନ୍ତି ଏନଟିଏ ପର୍ଯ୍ୟବେକ୍ଷକ । ପୂର୍ବ ଅପେକ୍ଷା ଏଥର ପରୀକ୍ଷା କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କଡ଼ା ସୁରକ୍ଷା ବଳୟ ଭିତରେ ଆସନ୍ତାକାଲି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନପତ୍ର । ପୁଲିସ ସହ ସିଆଇଏସ୍ଏଫ, ସିଆରପିଏଫ, ଆଇଟିବିପିର ଜଣେ ଲେଖାଏଁ ସୁରକ୍ଷାକର୍ମୀ ମଧ୍ୟ ସେଣ୍ଟରରେ ନିୟୋଜିତ ହେବେ ।