ଜି-୭ ସମ୍ମିଳନୀ: ମୋଦୀ-ଟ୍ରମ୍ପ ଦ୍ବିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ,୧୮/୦୬: ଫ୍ରାନ୍ସରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ଏହି ହାଇ-ପ୍ରୋଫାଇଲ୍ ବୈଠକରେ ଉଭୟ ନେତା ବାଣିଜ୍ୟ, ପ୍ରତିରକ୍ଷା ସହଯୋଗ ଓ ଭାରତ-ପ୍ରଶାନ୍ତ ସାମୁଦ୍ରିକ କ୍ଷେତ୍ରର ସୁରକ୍ଷା ଉପରେ ବ୍ୟାପକ ଆଲୋଚନା କରିଛନ୍ତି। ଏହି ବୈଠକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ଦିଗ ଥିଲା ସମୁଦ୍ର ମାର୍ଗରେ କାର୍ଯ୍ୟ କରୁଥିବା ଭାରତୀୟ ନାବିକଙ୍କ ସୁରକ୍ଷା। ବିଶ୍ୱର ବିଭିନ୍ନ ସାମୁଦ୍ରିକ ପଥରେ ଗମନାଗମନ କରୁଥିବା ଲକ୍ଷଲକ୍ଷ ଭାରତୀୟ ନାବିକଙ୍କ ଜୀବନର ସୁରକ୍ଷା ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଟ୍ରମ୍ପଙ୍କ ସମ୍ମୁଖରେ ଦୃଢ଼ ଭାବେ ଉପସ୍ଥାପନ କରିଛନ୍ତି। ନିକଟରେ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ସାମରିକ ଉତ୍ତେଜନା ମଧ୍ୟରେ ଭାରତୀୟଙ୍କ ସୁରକ୍ଷାକୁ ନେଇ ପ୍ରଧାନମନ୍ତ୍ରୀ ଏହି ଚିନ୍ତା ବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଭାରତର ଏହି ଦାବିକୁ ଗ୍ରହଣ କରିବା ସହ ଅନ୍ତର୍ଜାତୀୟ ସାମୁଦ୍ରିକ ସୁରକ୍ଷା ନିଶ୍ଚିତ କରିବା ଦିଗରେ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବୈଠକରେ ଭାରତକୁ ସମସ୍ତ ସୁରକ୍ଷା ପ୍ରସଙ୍ଗରେ ସହଯୋଗର ନିର୍ଭର ପ୍ରତିଶ୍ରୁତି ଦେଇ ଟ୍ରମ୍ପ କହିଛନ୍ତି, ଯଦି ଭାରତ ଉପରେ କେହି ଆକ୍ରମଣ କରେ ତେବେ ୱାସିଂଟନ ସର୍ବଦା ଭାରତ ସହିତ ଛିଡ଼ା ହେବ। ଭାରତ ପ୍ରତି ତାଙ୍କର ସମର୍ଥନକୁ ଦୋହରାଇ ସେ କହିଛନ୍ତି ଯେ ତାଙ୍କ ଶାସନ ସମୟରେ ୱାସିଂଟନ ଭାରତର ଏକ ଶକ୍ତିଶାଳୀ ସହଯୋଗୀ ଭାବେ ରହିବ। ଯେ ପର୍ଯ୍ୟନ୍ତ ମୁଁ ରାଷ୍ଟ୍ରପତି ଅଛି, ସେ ପର୍ଯ୍ୟନ୍ତ ହ୍ବାଇଟ୍‌ ହାଉସ୍‌ରେ ଭାରତ ପାଇଁ ଜଣେ ଭଲ ବନ୍ଧୁ ଭାବେ ରହିବି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *