ନୂଆଦିଲ୍ଲୀ,୧୬/୦୬: ବିଶ୍ୱ ବଜାରରେ ଅଶୋଧିତ ତେଲ ଦରରେ ଲଗାତାର ହ୍ରାସ ଦେଖିବାକୁ ମିଳୁଛି । କ୍ରମାଗତ ଭାବେ ଦର କମୁଥିବାବେଳେ ଏବେ ବ୍ୟାରେଲ ପିଛା ଅଶୋଧିତ ତେଲର ଦାମ ୮୩ ଡଲାର ତଳକୁ ଖସି ଆସିଛି । ଗତ ମାର୍ଚ୍ଚ ୪ ତାରିଖ ପରେ ପ୍ରଥମ ଥର ପାଇଁ ତେଲ ଦର ଏହି ସ୍ତରକୁ ଖସିଥିବାରୁ ବିଶ୍ୱ ବଜାରରେ ଏହା ଏକ ବଡ଼ ପରିବର୍ତ୍ତନ ଭାବେ ଦେଖାଯାଉଛି । ବିଶେଷଜ୍ଞଙ୍କ ମତାନୁସାରେ, ବିଶ୍ୱ ଅର୍ଥନୀତିର ମନ୍ଥର ଗତି, ତେଲର ଚାହିଦା ହ୍ରାସ ଏବଂ ଉତ୍ପାଦନ ବୃଦ୍ଧି ଯୋଗୁଁ ଅଶୋଧିତ ତେଲ ଦରରେ ଏହି ହ୍ରାସ ଘଟୁଛି । ଏହା ସହିତ ବିଭିନ୍ନ ଭୂ-ରାଜନୈତିକ ପରିସ୍ଥିତି ମଧ୍ୟ ତେଲ ବଜାର ଉପରେ ପ୍ରଭାବ ପକାଉଛି ।ଅଶୋଧିତ ତେଲ ଦର କମିବାର ପ୍ରଭାବ ସିଧାସଳଖ ଭାବେ ପେଟ୍ରୋଲ ଓ ଡିଜେଲ ଦର ଉପରେ ପଡ଼ିପାରେ । ଯଦି ଆନ୍ତର୍ଜାତିକ ବଜାରରେ ଏହି ହ୍ରାସ ଧାରା ଜାରି ରହେ, ତେବେ ଆଗାମୀ ଦିନରେ ଭାରତ ସହ ଅନ୍ୟ ଦେଶଗୁଡ଼ିକରେ ଇନ୍ଧନ ଦର କମିବାର ସମ୍ଭାବନା ରହିଛି । ଏହା ସାଧାରଣ ଉପଭୋକ୍ତାଙ୍କ ପାଇଁ କିଛି ମାତ୍ରାରେ ଆଶ୍ୱସ୍ତି ଆଣିପାରେ ।