ରଜ ପୂର୍ବରୁ ରାଜ୍ୟକୁ ପ୍ରବେଶ କଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର,୧୨/୦୬: ରଜ ପୂର୍ବରୁ ରାଜ୍ୟକୁ ପ୍ରବେଶ କରିଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ। ଏହାର ପ୍ରଭାବରେ ଆସନ୍ତା ସପ୍ତାହେରେ ବର୍ଷା ସହ ଘଡ଼ଘଡ଼ି, ପବନ ହେବାର ସମ୍ଭାବନା ରହିଛି। ଯାହାଫଳରେ ତାପମାତ୍ରା କମିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ରାଜ୍ୟର ଉତ୍ତର ଭାଗକୁ ଅଗ୍ରସର ହେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଅଗ୍ରସର ରେଖା ଆଜି ଓଡ଼ିଶାର ପାରାଦ୍ୱୀପ ଓ ବାରିପଦା ଦେଇ ଗତିକରିବା ସହ ଆଗକୁ ବଢୁଛି । ମୌସୁମୀ ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । କେରଳମ୍ ଛୁଇଁବାର ୮ ଦିନ ପରେ ଓଡ଼ିଶାରେ ପହଞ୍ଚିଛି ମୌସୁମୀ । ମୌସୁମୀ ନିମ୍ନ ଚାପ ରେଖା ସଂଗଠିତ ହେବାର ଅଛି । ୧୯ ଜୁନରୁ ୨୫ ଜୁନ ଭିତରେ ରାଜ୍ୟରେ ଭଲ ବର୍ଷା ହେବ । ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ଅନେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହେବାର ସମ୍ଭାବନା ରହିଛି। କିଛି ଜିଲ୍ଲାରେ ପ୍ରବଳ ବର୍ଷା ସହ ୪୦ରୁ ୫୦ କିମି ପ୍ରତି ଘଣ୍ଟା ଏବଂ କେତେକ ସ୍ଥାନରେ ୫୦ରୁ ୬୦ କିମି ପ୍ରତି ଘଣ୍ଟା ବେଗରେ ଝଡ଼ ପବନ ବହିବା ନେଇ ଆଶଙ୍କା ପ୍ରକାଶ ପାଇଛି। ପାଣିପାଗ ବିଭାଗ ପକ୍ଷରୁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ,ଯାଜପୁର ,ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ସମେତ ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏହା ଛଡା ବାକି ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ଆଲର୍ଟ ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *