ଭୁବନେଶ୍ୱର,୧/୦୫: ରାଜ୍ୟର ଗ୍ରାମାଞ୍ଚଳ ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆଜି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ ହୋଇଯାଇଛି । ରାୟଗଡ଼ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର କୃଷି ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ଓଡ଼ିଶାର ୮ଟି ଜିଲ୍ଲା ପାଇଁ ପ୍ରାୟ ୧୭୦୦ କୋଟି ଟଙ୍କାରୁ ଅଧିକ ବ୍ୟୟ ବରାଦ କରାଯିବ । ଏଥିରେ ୮୯୮ଟି ଗାଁରେ ୧୭୦୨ କିଲୋମିଟର ପକ୍କାରାସ୍ତା ନିର୍ମାଣ କରାଯିବ ।ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ରାୟଗଡ଼ା ଜିଲ୍ଲା ପାଇଁ ଅନେକ ନୂତନ ସଡ଼କ ପ୍ରକଳ୍ପ ଘୋଷଣା କରିବା ସହ ଏକାଧିକ ପାନୀୟ ଜଳ ଓ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଯେ, ଗ୍ରାମାଞ୍ଚଳର ବିକାଶ ବିନା ସମୃଦ୍ଧ ଓଡ଼ିଶାର ପରିକଳ୍ପନା ଅସମ୍ଭବ ।