ଭୁବନେଶ୍ୱର,୧୯/୦୪: ଗତକାଲି ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ଟ୍ରାକ୍ଟର ଚଢାଇ ଆକ୍ରମଣ ଘଟଣାରେ ଟ୍ରାକ୍ଟର ମାଲିକ, ଡ୍ରାଇଭର ଓ ଜମିମାଲିକଙ୍କ ସମେତ ୭ ଜଣ ଗିରଫ ହୋଇଛନ୍ତି । ୫ ଟ୍ରାକ୍ଟର ସମେତ ଦୁଇ ଜେସିବି ମେସିନ ଜବତ କରିଛି କୋରେଇ ପୁଲିସ । କୋରେଇ ଥାନା ସାଦକପୁର ପଂଚାୟତରେ ଥିବା ଏକ ପୋଖରୀରୁ ବେଆଇନ ଭାବେ ମାଟି ଖନନ ଖବର ପାଇ ଚଢ଼ାଉ ବେଳେ ଟ୍ରାକ୍ଟର ଚଢ଼ିଯିବାରୁ ବ୍ୟାସନଗର ତହସିଲଦାର ଗୁରୁତର ଆହତ ହୋଇଥିଲେ l କୋରେଇ ପୁଲିସ ତହସିଲଦାରଙ୍କୁ କୋରେଇ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଇ କଟକ ବଡ଼ ମେଡିକାଲ ପଠାଇଥିଲା l ଘଟଣା ମୁତାବକ, ସାଦକପୁର ପଂଚାୟତ ହଜାରୀ ପୋଖରୀରୁ ବେଆଇନ ମାଟି ଖୋଳା ଯାଉଥିଲା l ଖବରପାଇ ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡା, ତୁଳତୀ ଆରଆଇ ଇତିଶ୍ରୀ ସେନାପତି ଘଟଣା ସ୍ଥଳରେ ପହଞ୍ଚିଥିଲେ l ଅଧିକାରୀଙ୍କୁ ଦେଖି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ l ଏକ ଟ୍ରାକ୍ଟରକୁ ତହସିଲଦାର ଅଟକାଇ ଚାବି ଛଡ଼ାଇବାକୁ ଚେଷ୍ଟା କରିଥିଲେ l ହେଲେ ଟ୍ରାକ୍ଟର ଚାଲକ ଗାଡ଼ିକୁ ଚଳନ୍ତା ଅବସ୍ଥାରେ ଛାଡି ଦୌଡ଼ି ପଳାଇଥିଲା l ଫଳରେ ଗାଡ଼ିଟି ତହସିଲଦାରଙ୍କ ଗୋଡ ଓ ଅଣ୍ଟାକୁ ଧକ୍କା ଦେଇଥିଲା l