ଭୁବନେଶ୍ୱର,୧୯/୦୪: ଜଳୁଛି ସାରା ଓଡ଼ିଶା । ପଶ୍ଚିମରୁ ଉପକୂଳ ଯାଏଁ ତାତି ଅସମ୍ଭାଳ । ଆସନ୍ତା ୨୨ ତାରିଖ ଯାଏଁ କଲବଲ କରିବ ଖରା ଓ ଗୁଳୁଗୁଳି । ପ୍ରଚଣ୍ଡ ଗ୍ରୀଷ୍ମଲହରି ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜିଠୁ ବଢ଼ିବ ତାତି । ଅସହ୍ୟ ଗରମ ହେବାକୁ ଥିବା ୫ଟି ଜିଲ୍ଲା- ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ନୂଆପଡ଼ା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଉପକୂଳର ୧୧ ଜିଲ୍ଲାକୁ ଉଷ୍ଣ ଓ ଆର୍ଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆଗାମୀ ୫ ଦିନ ଅର୍ଥାତ୍ ୨୪ ତାରିଖ ଯାଏଁ ତାତିରୁ ତ୍ରାହି ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୪ ପରେ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରି କମିପାରେ । ତେବେ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଆଗାମୀ ୭ ଦିନ ଯାଏଁ ଗୁଳୁଗୁଳି ଲାଗି ରହିବ । ବାତ୍ୟା ଆଶ୍ରୟସ୍ଥଳୀ ଭଳି ରାଜ୍ୟରେ ନିର୍ମାଣ ହେବ ଗ୍ରୀଷ୍ମପ୍ରବାହ ଆଶ୍ରୟସ୍ଥଳୀ । ଅଧିକ ଗ୍ରୀଷ୍ମ ପ୍ରବାହ ହେଉଥିବା ସ୍ଥାନଗୁଡ଼ିକରେ ଏହାକୁ ନିର୍ମାଣ କରାଯିବ । ଏହି ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଏଥିସହ କହିଛନ୍ତି, ହିଟ୍ୱେଭ୍ ୱାର୍ଣ୍ଣିଂ ଥିବା ସ୍ଥାନରେ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଚାଲିପାରିବନି ଏସି ନଥିବା ଗାଡ଼ି । ନିୟମ ନ ମାନିଲେ, କୌଣସି ଅଘଟଣ ପାଇଁ ଗାଡ଼ି ମାଲିକ ଉତ୍ତରଦାୟୀ ରହିବେ । ଖରାରେ ଶ୍ରମିକମାନଙ୍କ କାମ କରିବା ଉପରେ ବି କଟକଣା ରହିଛି । ଏସ୍ଓପି ଭାଙ୍ଗିଲେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବ । ସ୍କୁଲ ଛୁଟି ନେଇ ନେଇ ଜିଲ୍ଲା ପ୍ରଶାସନକୁ ନିଷ୍ପତ୍ତି ନେବା ପାଇଁ କୁହାଯାଇଥିବା ବେଳେ, ୮ରୁ ଅଧିକ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ସରିଛି । ବଲାଙ୍ଗିର, କଳାହାଣ୍ଡି, ସୁବର୍ଣ୍ଣପୁର, ବୌଦ୍ଧ, ସମ୍ୱଲପୁର, ନୂଆପଡ଼ା, ନବରଙ୍ଗପୁର, ଝାରସୁଗୁଡ଼ା, ମୟୂରଭଞ୍ଜ ଆଦି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ।