ଏଆଇ ସମ୍ମିଳନୀ ପାଇଁ ସାରା ବିଶ୍ବରୁ ଲୋକମାନେ ଭାରତ ଆସିବା ଆମ ପାଇଁ ଗର୍ବର ବିଷୟ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୬/୦୨: ସୋମବାରଠାରୁ ନୂଆଦିଲ୍ଲୀରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ରଭାବ ଶିଖର ସମ୍ମିଳନୀ ୨୦୨୬ ଆରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟା ୫ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଇଣ୍ଡିଆ ଏଆଇ ପ୍ରଭାବ ଏକ୍ସପୋ ୨୦୨୬ ଉଦଘାଟନ କରିବେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ସୋମବାର କହିଛନ୍ତି ଯେ, ଭାରତ ଏଆଇ ପରିବର୍ତ୍ତନରେ ସବୁଠାରୁ ଆଗରେ ରହିଛି। ଏଆଇ ସ୍ୱାସ୍ଥ୍ୟସେବା, ଶିକ୍ଷା, କୃଷି, ଶାସନ ଏବଂ ଉଦ୍ୟୋଗ ସମେତ ଅନେକ କ୍ଷେତ୍ରକୁ ପ୍ରଭାବିତ କରୁଛି। ମୋଦୀ ତାଙ୍କ ‘ଏକ୍ସ’ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି ଯେ, ଏଆଇ ସମ୍ମିଳନୀ ପାଇଁ ସାରା ବିଶ୍ବରୁ ଲୋକମାନେ ଭାରତ ଆସିବା ଆମ ପାଇଁ ଗର୍ବର ବିଷୟ। ଏହା ଆମ ଦେଶର ଯୁବପିଢ଼ିର ସାମର୍ଥ୍ୟକୁ ମଧ୍ୟ ପ୍ରତିଫଳିତ କରୁଛି। ଆମ ଦେଶ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଦ୍ରୁତଗତିରେ ବଢ଼ୁଥିବା ଓ ବିଶ୍ବର ବିକାଶରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ କରୁଥିବାର ଏହା ପ୍ରମାଣ ମଧ୍ୟ। ଅନ୍ୟ ଏକ ପୋଷ୍ଟରେ ମୋଦୀ ଲେଖିଛନ୍ତି, ଏହି ସମ୍ମିଳନୀର ବିଷୟବସ୍ତୁ ହେଉଛି ସର୍ବଜନ ହିତାୟ, ସର୍ବଜନ ସୁଖାୟ। ସମସ୍ତଙ୍କ କଲ୍ୟାଣ ଓ ସମସ୍ତଙ୍କ ଖୁସି ପରି ମାନବ-କୈନ୍ଦ୍ରିକ ପ୍ରଗତି ପାଇଁ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରିବା ପାଇଁ ଆମର ମିଳିତ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଏଆଇ ପ୍ରଭାବ ସମ୍ମିଳନୀ ଏଆଇର ବିବିଧ ଦିଗ, ଯେପରିକି ନବସୃଜନ, ସହଯୋଗ, ଦାୟିତ୍ୱପୂର୍ଣ୍ଣ ବ୍ୟବହାର ଏବଂ ଅନ୍ୟାନ୍ୟ ବିଷୟରେ ବିଶ୍ୱସ୍ତରୀୟ ଆଲୋଚନାକୁ ସମୃଦ୍ଧ କରିବ।

Leave a Reply

Your email address will not be published. Required fields are marked *