ନୂଆଦିଲ୍ଲୀ,୨୬/୦୧: ଦକ୍ଷିଣ ଫିଲିପାଇନ୍ସରେ ସମୁଦ୍ରରେ ଏକ ଫେରି ବୁଡ଼ିଯାଇଛି । ସୂଚନା ଅନୁଯାୟୀ, ଫେରିରେ ୩୫୦ରୁ ଅଧିକ ଲୋକ ଥିଲେ । ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ୨୧୫ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । କିଛି ରିପୋର୍ଟରେ ମୃତ୍ୟୁ ସଂଖ୍ୟା ଅଧିକ ଦର୍ଶାଯାଇଛି । କିନ୍ତୁ ପ୍ରକୃତ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। । ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣା ଫିଲିପାଇନ୍ସ ସରକାରଙ୍କ ପାଇଁ ଏକ ଗମ୍ଭୀର ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ପରିବାର ଲୋକେ ନିଖୋଜ ହୋଇଥିବା ସେମାନଙ୍କ ପ୍ରିୟଜନଙ୍କୁ ଖୋଜୁଛନ୍ତି । ତଟରକ୍ଷୀ ବାହିନୀ କହିଛି,ଏମ/ଭି ତ୍ରିଶା କର୍ଷ୍ଟିନ୍-୩ ନାମକ ଏକ ଫେରି ମଝି ସମୁଦ୍ରରେ ଓଲଟି ପଡ଼ିଥିଲା । ଏହା ଆଲେସାନ୍ ସିପିଂ ଲାଇନ୍ସ ଦ୍ୱାରା ପରିଚାଳିତ ଏକ ଆନ୍ତଃଦ୍ୱୀପ ମାଲବାହୀ ଓ ଯାତ୍ରୀବାହୀ ଫେରି । ଏହା ଜାମ୍ବୋଆଙ୍ଗାରୁ ବାହାରି ଦକ୍ଷିଣ ସୁଲୁ ପ୍ରଦେଶର ଜୋଲୋ ଦ୍ୱୀପକୁ ଯାଉଥିଲା। ଏଥିରେ ମୋଟ ୩୩୨ ଜଣ ଯାତ୍ରୀ ଓ ୨୭ ଜଣ କ୍ରୁ ସଦସ୍ୟ ଥିଲେ । ଅଧିକାରୀମାନେ କହିଛନ୍ତି, କୌଣସି ଯାନ୍ତ୍ରିକ ଯୋଗୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ଅନୁମାନ କରାଯାଉଛି।