ସମ୍ବଲପୁର ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୧/୦୧: ଆଜି ସମ୍ବଲପୁର ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ନୂତନ ଭାବେ ନିର୍ମିତ ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଏବଂ OPD ବିଲ୍‌ଡିଙ୍ଗର ଶୁଭ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଦୁର୍ଘଟଣା ହାର ବଢ଼ି ଚାଲିଥିବାରୁ ପ୍ରତ୍ୟେକ ଜିଲ୍ଲାରେ ଟ୍ରମା କେୟାର ସେଣ୍ଟରର ଆବଶ୍ୟକତା ବୃଦ୍ଧି ପାଇଛି। ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ଏବଂ ସୁନିଶ୍ଚିତ ଚିକିତ୍ସା ଯୋଗାଇଦେବା ଏହାର ମୂଳ ଉଦ୍ଦେଶ୍ୟ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଦାୟିତ୍ବ ନେବାର ୧୩ ଦିନ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରି ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ଅନ୍ୟାନ୍ୟ ବଡ଼ ସରକାରୀ ଡାକ୍ତରଖାନାରେ ଟ୍ରମା କେୟାର ସେଣ୍ଟର ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ସମୁଦାୟ ୮୯ଟି ଅତ୍ୟାଧୁନିକ ଟ୍ରମା କେୟାର ସେଣ୍ଟର ଖୋଲିବାକୁ ପଦକ୍ଷେପ ନିଆଯାଉଛି। ଏହାଦ୍ୱାରା ଦୁର୍ଘଟଣା ଜନିତ ମୃତ୍ୟୁ ଓ କ୍ଷୟକ୍ଷତି ସଂଖ୍ୟା କମିବା ସହ ଆହତମାନେ ସମୟରେ ଉତ୍ତମ ଚିକିତ୍ସା ପାଇପାରିବେ।

ସୂଚନାଯୋଗ୍ୟ ଯେ ଟ୍ରମା କେୟାର ସେଣ୍ଟର ଓ OPD ନିର୍ମାଣ ପାଇଁ ସରକାର ପକ୍ଷରୁ ମୋଟ ୨୧ କୋଟି ୨୮ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଏହା ମାଧ୍ୟମରେ ଦୁର୍ଘଟଣାଗ୍ରସ୍ତ ରୋଗୀମାନଙ୍କୁ ତୁରନ୍ତ ଏବଂ ଉପଯୁକ୍ତ ଚିକିତ୍ସା ସୁବିଧା ମିଳିପାରିବ। ଏହା ସହିତ ଡାକ୍ତରଖାନା ପରିସରରେ ୨ କୋଟି ୫୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ CSSD (Central Sterile Supply Department) ବିଲ୍‌ଡିଙ୍ଗର ମଧ୍ୟ ଉଦ୍‌ଘାଟନ କରାଯାଇଛି। ଏଠାରେ ଆଧୁନିକ ପ୍ରଣାଳୀ ମାଧ୍ୟମରେ ବିଭିନ୍ନ ଚିକିତ୍ସା ସାମଗ୍ରୀ ଓ ଇକ୍ୟୁପ୍‌ମେଣ୍ଟକୁ ସଫା ଓ ଷ୍ଟେରିଲାଇଜ୍ କରାଯିବ।
ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଦୁର୍ଘଟଣା ହାର ବଢ଼ି ଚାଲିଥିବାରୁ ପ୍ରତ୍ୟେକ ଜିଲ୍ଲାରେ ଟ୍ରମା କେୟାର ସେଣ୍ଟରର ଆବଶ୍ୟକତା ବୃଦ୍ଧି ପାଇଛି। ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ଏବଂ ସୁନିଶ୍ଚିତ ଚିକିତ୍ସା ଯୋଗାଇଦେବା ଏହାର ମୂଳ ଉଦ୍ଦେଶ୍ୟ।

ଏହି ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ  ସୁରେଶ ପୁଜାରୀ, ପଞ୍ଚାୟତିରାଜ, ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ  ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରି ନାଏକ,ଜିଲ୍ଲାପାଳ  ସିଦ୍ଧେଶ୍ଵର ବଳିରାମ ବୋନ୍ଦାର ପ୍ରମୁଖ ଉପସ୍ଥିତ ଥିଲେ।