ଏପ୍ରିଲ ପହିଲା ଯାଏଁ କୋହଳ ହେଲା ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ

ଭୁବନେଶ୍ୱର,୦୯/୦୧: ଏପ୍ରିଲ ପହିଲା ଯାଏଁ କୋହଳ ହେଲା ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ । ଏନେଇ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ । ଏହାସହ ଟୋଲଗେଟରେ ଇ-ଡିଟେକ୍ସନ କଟୁଥିବା ଜରିମାନାକୁ ମଧ୍ୟ ସ୍ଥଗିତ ରଖାଯାଇଛି । ଅନ୍ୟପକ୍ଷରେ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ମୋଟର ଯାନ ଆଇନ ଅନୁଯାୟୀ ଲାଗୁ ହେଉଥିବା ୧୦ହଜାର ଟଙ୍କା ଜରିମାନାକୁ କମାଇବା ନେଇ ତର୍ଜମା କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଦୂଷଣ ସୃଷ୍ଟି କରୁଥିବା ଗାଡ଼ି ବ୍ୟବହାର ନ କରିବାକୁ ନିବେଦନ କରିଛନ୍ତି ମନ୍ତ୍ରୀ । ଏହି ଅବଧି ମଧ୍ୟରେ ମୋଟର ଯାନ ଆଇନ ଅନୁଯାୟୀ ବାଧ୍ୟତାମୂଳତ ପ୍ରଦୂଷଣ ପ୍ରମାଣପତ୍ର କରାଇନେବାକୁ ମଧ୍ୟ ‎ପରାମର୍ଶ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଗାଡ଼ିର ପ୍ରଦୂଷଣ ଯାଞ୍ଚ କରିବା ସମସ୍ତଙ୍କ ଦାୟିତ୍ୱ । ବାୟୁ ଗୁଣବତ୍ତା ଦିନକୁ ଦିନ ଖରାପ ହେଉଛି । ‎ଏହାର ସୁଧାର ଦିଗରେ କାର୍ଯ୍ୟ କରିବା ସମସ୍ତଙ୍କ କର୍ତ୍ତବ୍ୟ । ସେଥିପାଇଁ ପରିବହନରେ ପରିବେଶ ସୁରକ୍ଷାକୁ ଲକ୍ଷ୍ୟ ରଖି ‎ପ୍ରଦୂଷଣ ଯାଞ୍ଚ ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି । ମୋଟର ଯାନ ଆଇନ ଅନୁଯାୟୀ ଏହା ବାଧ୍ୟତାମୂଳକ ମଧ୍ୟ‎ । ଓଡ଼ିଶାରେ ମାତ୍ର ୨୧ ପ୍ରତିଶତ ଗାଡ଼ିରେ ପ୍ରଦୂଷଣ ପ୍ରମାଣପତ୍ର ରହିଛି । ଅନେକ ଗାଡ଼ି ଏହି ନିୟମର ବ୍ୟାପକ ଉଲ୍ଲଙ୍ଘନ ‎କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଏ ଦିଗରେ ସଚେତନତା ବୃଦ୍ଧି କରିବାକୁ ପ୍ରଦୂଷଣ ପ୍ରମାଣପତ୍ରକୁ ଗୁରୁତ୍ୱ ଦିଆଯାଇଛି । ‎