କନ୍ୟା ବିବାହ ଯୋଜନାରେ ଝିଅ ମାନଙ୍କୁ ମିଳିବ ଶାଢୀ, ଚୁଡ଼ି, ପାଉଁଜି, ବିନ୍ଦି

ଭୁବନେଶ୍ୱର,୦୮/୦୧: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଝିଅ ମାନଙ୍କୁ ଶାଢୀ, ଚୁଡ଼ି, ପାଉଁଜି, ବିନ୍ଦି ମିଳିବ। ଉତ୍କଳିକା ଓ ମହିଳା ଓ ଶିଶୁ ବିକାଶ ବିଭାଗ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ଏହାଦ୍ୱାରା କନ୍ୟା ବିବାହ ଯୋଜନାରେ ବିବାହ ଉପହାର ସାମଗ୍ରୀର ଯୋଗାଣ ହେବ । ଏହି ସବୁ ସାମଗ୍ରୀର ଉତ୍କଳିକା ମାଧ୍ୟମରେ ହିତାଧିକାରୀଙ୍କୁ ଯୋଗାଇବେ ସରକାର । ଏହା ଦ୍ବାରା ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତକଳା କ୍ଷେତ୍ରକୁ ମଧ୍ଯ ପ୍ରୋତ୍ସାହନ ମିଳିବ ବୋଲି କୁହାଯାଇଛି । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉପସ୍ଥିତିରେ MOU ସ୍ବାକ୍ଷରିତ ହୋଇଛି । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ମୋଟ ୫୧ ହଜାର ଟଙ୍କା ସହାୟତା ରାଶି ଦେବେ ସରକାର । ବାହାଘର ପଞ୍ଜିକରଣ ହେବାର ୭ ଦିନ ପରେ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ ୩୫ ହଜାର ଟଙ୍କା । ଉପହାର ପାଇଁ ୧୦ ହଜାର ଓ ସାଜ ସଜା ପାଇଁ ୬ ହଜାର ଟଙ୍କା ଦେବେ ସରକାର । ପୂର୍ବରୁ ଏହି ଯୋଜନା ପାଇଁ ଗାଇଡଲାଇନ ଆସିଥିବା ବେଳେ ଆଜି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି ।