ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୦୭/୦୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରିଛନ୍ତି । ଏହାସହ ରାଜ୍ୟବ୍ୟାପୀ ୧୧୮ଟି ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଯୋଜନା ଜଣେ ସାଧାରଣ ଆଦିବାସୀ ପରିବାରର ଛାତ୍ର ଭାବେ ମୋର ପିଲାଦିନର ଅନୁଭୂତି ଏବଂ ଆଗାମୀ ପିଢ଼ି ପାଇଁ ଦେଖିଥିବା ଏକ ବଡ଼ ସ୍ୱପ୍ନର ସାକାର ରୂପ। ଆମ ସରକାର ପ୍ରଥମ ପର୍ଯ୍ୟାୟରେ ୨,୨୦୦ ବିଦ୍ୟାଳୟର ବିକାଶ ପାଇଁ ୧୨,୦୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି, ଯାହା ଆମ ପିଲାମାନଙ୍କୁ ବିଶ୍ୱସ୍ତରୀୟ ଶୈକ୍ଷିକ ପରିବେଶ ଯୋଗାଇଦେବ ବୋଲି ସେ କହିଛନ୍ତି। ଆମର ମୂଳ ଲକ୍ଷ୍ୟ ହେଉଛି ପ୍ରାଥମିକ ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରିବା। ‘ନିପୁଣ ଓଡ଼ିଶା’ ଏବଂ ଜାତୀୟ ଶିକ୍ଷା ନୀତି-୨୦୨୦ର ସଫଳ ରୂପାୟନ ମାଧ୍ୟମରେ ଆମେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ଓ ଦକ୍ଷତାରେ ନିପୁଣ କରିବାକୁ ସଂକଳ୍ପବଦ୍ଧ। ବିଦ୍ୟାଳୟଗୁଡ଼ିକର ଆଧୁନିକୀକରଣ ସହ ଶିକ୍ଷକମାନଙ୍କ ନିଯୁକ୍ତି ଓ ସେମାନଙ୍କ ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ଆମେ ଗୁରୁତ୍ୱ ଦେଉଛୁ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଏକାମ୍ର ଭୁବନେଶ୍ବର ବିଧାୟକ ବାବୁ ସିଂ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆୟୁକ୍ତ ତଥା ଶାସନ ସଚିବ ଡକ୍ଟର ଏନ୍. ତିରୁମାଲା ନାଏକ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ, ଖୋର୍ଦ୍ଧା ଜିଲ୍ଲାପାଳ ଉପସ୍ଥିତ ଥିଲେ ।