ବାୟୁ ପ୍ରଦୂଷଣ ରାଜଧାନୀ ଦିଲ୍ଲୀକୁ ଟପିଲା ଓଡିଶା

ଭୁବନେଶ୍ୱର,୨୫/୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି । ପ୍ରଦୂଷଣ ମାମଲାରେ ଓଡ଼ିଶାର କିଛି ସହର ଏବେ ଦେଶର ରାଜଧାନୀ ଦିଲ୍ଲୀକୁ ଟପିଛି । ଆଜି ପୂର୍ବାହ୍ନ ୧୧ଟା ସୁଦ୍ଧା ମିଳିଥିବା ବାୟୁ ମାନ ସୂଚକାଙ୍କ (AQI) ରିପୋର୍ଟ ଅନୁଯାୟୀ, ଦେଶର ୫ଟି ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ଓଡ଼ିଶାର ୩ଟି ସହର ସ୍ଥାନ ପାଇଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ହେଉଛି, ୩୩୬ AQI ସହ ଓଡ଼ିଶାର ବାଲେଶ୍ଵର ଆଜି ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର ଭାବେ ପରିଗଣିତ ହୋଇଛି । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଶିଳ୍ପ ସହର ତାଳଚେର, ଯେଉଁଠାରେ AQI ୩୨୪ ରହିଛି । ସେହିପରି ୩୦୪ AQI ସହ ବାରିପଦା ସହର ଦେଶର ପଞ୍ଚମ ପ୍ରଦୂଷିତ ସହର ଭାବେ ଚିହ୍ନଟ ହୋଇଛି । ଏହି ତିନୋଟି ଯାକ ସହରରେ ବାୟୁର ମାନ ଅତି ଖରାପ ସ୍ତରରେ ରହିଛି, ଯାହା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତର ବିପଦ ସୃଷ୍ଟି କରିପାରେ । ଅନ୍ୟପକ୍ଷରେ, ଯେଉଁ ଦିଲ୍ଲୀ ପ୍ରଦୂଷଣ ପାଇଁ ସବୁବେଳେ ସାରା ଦେଶରେ ଚର୍ଚ୍ଚାରେ ଥାଏ, ସେଠାରେ ଆଜି AQI ମାତ୍ର ୨୧୮ ରେକର୍ଡ କରାଯାଇଛି । ଅର୍ଥାତ ଦିଲ୍ଲୀ ତୁଳନାରେ ଓଡ଼ିଶାର ଏହି ସହରଗୁଡ଼ିକର ବାୟୁ ଅଧିକ ବିଷାକ୍ତ ହୋଇପଡ଼ିଛି ।