ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା ନିଷ୍ପତ୍ତି ଲାଗୁ ଅବଧି ବୃଦ୍ଧି

ଭୁବନେଶ୍ୱର,୨୪/୧୨: ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା’ ନିଷ୍ପତ୍ତି ଲାଗୁ ଅବଧି ବୃଦ୍ଧି । ମୋଟର ଯାନର ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ନେଇ ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଅନୁଧ୍ୟାନ କରି ଏହି ନିଷ୍ପତ୍ତି ହୋଇଛି । ପୂର୍ବରୁ ଜାନୁଆରୀରୁ ଏହା ଲାଗୁ ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ଜନସାଧାରଣଙ୍କ ଦାବିକୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଏହାକୁ ଫେବ୍ରୁଆରୀ ପହିଲାକୁ ଘୁଞ୍ଚାଯାଇଛି । ଏହି ଅବଧି ମଧ୍ୟରେ ମୋଟର ଯାନ ଆଇନ ଅନୁଯାୟୀ ବୈଧ ପ୍ରଦୂଷଣ ପ୍ରମାଣ ପତ୍ର ନ ଥିବା ଯାନ ମାନେ ପ୍ରଦୂଷଣ ଯାଞ୍ଚ କରାଇ ନେବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଅବଧିକୁ ବୃଦ୍ଧି କରାଯାଇଥିବାରୁ ଜନସାଧାରଣ ବିବ୍ରତ ନ ହୋଇ ସୁବିଧାରେ ଯାଞ୍ଚ କରାଇବେ ବୋଲି ଆଶା କରାଯାଉଛି । ଫେବ୍ରୁଆରୀ 1 ପୂର୍ବରୁ କୌଣସି ପେଟ୍ରୋଲ ପମ୍ପରେ କାହାକୁ ମଧ୍ୟ ପ୍ରଦୂଷଣ ସାର୍ଟିଫିକେଟ ପାଇଁ ଇନ୍ଧନ ଦେବାକୁ ମନା କରାଯାଇପାରିବ ନାହିଁ । ଏହି ସମୟରେ ପ୍ରଦୂଷଣ ସାର୍ଟିଫିକେଟ ସଂକ୍ରାନ୍ତରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି ।